ଅନୁଗୋଳ: ନିର୍ବାଚନ ମଇଦାନରେ ସିନେ କଳାକାର । ପରଦାରେ କଳା ପ୍ରଦର୍ଶୀତ କରୁଥିବା କଳାକାର ଏବେ ସେବା ପ୍ରତି ମନବଳାଇଛନ୍ତି । ଗାଁ ବିକାଶ ପାଇଁ ହୋଇଛନ୍ତି ସରପଞ୍ଚ ପର୍ଥୀ । ରାଜନୀତିକୁ ଓହଲାଇଛନ୍ତି ସିନେ ଅଭିନେତା ଅମରେଶ ନାଥ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଟାଙ୍ଗିରୀ ଗାଁର ଅଧିବାସୀ ଅମରେଶ ଚଳିତ ପଞ୍ଚାୟତ ନିର୍ବାଚନରେ ଟାଙ୍ଗିରୀ ପଞ୍ଚାୟତର ସରପଞ୍ଚ ପାଇଁ ନିର୍ବାଚନ ଲଢ଼ୁଛନ୍ତି ।
ଗତ ୯ ବର୍ଷ ହେଲା ସେ ମଞ୍ଚ ଓ ସିନେ ଜଗତରେ ସକ୍ରିୟ ରହିଛନ୍ତି । ଓଡ଼ିଆ ସିନେମା ଝିଅଟି ବିଗିଡ଼ିଗଲା , ତାଣ୍ଡବ ଓ ଦୁର୍ଗତି ନାଶିନୀରେ ସେ ଅଭିନୟ କରିଥିବା ବେଳେ ବହୁ ପ୍ରଶଂସା ସାଉଣ୍ଟିଛନ୍ତି । ପରେ ଲୋକପ୍ରିୟ ଧାରାବାହିକ କୁଆଁରୀ ବୋହୂର ଅମ୍ବର ଚରିତ୍ର , ଓଡ଼ିଆ ଆଲବମ୍ , ପ୍ରାର୍ଥନା ଚ୍ୟାନେଲର ଭଜନ ଆଲବମ , ବଙ୍ଗୀୟ ଆଲବମ୍ ପ୍ରଭୃତିରେ ଅଭିନୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।
ସେହିପରି ଅନେକ ସରକାରୀ ବିଜ୍ଞାପନରେ ଅଭିନୟ କରିଛନ୍ତି । ଏବେ ସେ ଘରକୁ ଘର ବୁଲି ନିଜ ଅନ୍ଦାଜରେ ଭୋଟ ମାଗୁଛନ୍ତି । ଆଉ ସେ ଜିତିଲେ କିଭଳି ଗାଁର ବିକାଶ କରିବେ ସେ ନେଇ ଲୋକଙ୍କୁ ବୁଝାଉଛନ୍ତି । ଫାର୍ମାସିରେ ଡିପ୍ଲୋମା ହାସଲ ସହ ସେ ଏଲ୍ଏଲ୍ବି ଡିଗ୍ରି ହାସଲ କରିଛନ୍ତି ଅଭିନେତା ଜଣକ । ଅଞ୍ଚଳବାସୀଙ୍କ ମୌଳିକ ସମସ୍ୟା ଦୂର କରିବା ପାଇଁ ସେ ରାଜନୀତିକୁ ଓହ୍ଲାଇଛନ୍ତି ବୋଲି ଅମରେଶ କହିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ