ଅନୁଗୋଳ: ଭାଇରାଲ ଭିଡ଼ିଓକୁ ନେଇ ବିଜେପି ଖପ୍ପା । ଏକ ଭିଡିଓରେ ତାଳଚେର ବିଧାୟକ କୁଆଡେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ କଟୁ ମନ୍ତବ୍ୟ ଦେବା ସହ ତାଙ୍କ ବାପା ପୂର୍ବତନ ମନ୍ତ୍ରୀ ଡ଼ଃ ଦେବେନ୍ଦ୍ର ପ୍ରଧାନଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ବିଧାୟକଙ୍କୁ ଟାର୍ଗେଟ କାରାଯାଇଛ ।
ଜିଲ୍ଲାରେ ଗତ ୨୦୧୪ ଠାରୁ ଆଜି ପର୍ଯ୍ୟନ୍ତ ବିକାଶର ଧାରା ଚାଲୁ ରହିଛି । କେନ୍ଦ୍ର ସରକାର ଏହି ସମୟ ସୀମା ମଧ୍ୟରେ ପ୍ରାୟ ୮୦ ହଜାର କୋଟି ଟଙ୍କା ଜିଲ୍ଲାରେ ନିବେଶ କରିଛନ୍ତି । ଯେପରିକି ତାଳଚେର ମେଡ଼ିକାଲ କଲେଜ ପାଇଁ ୫୦୦ କୋଟି, ଏଫସିଆଇ କାରଖାନା ପାଇଁ ୧୩ ହଜାର କୋଟି ଏବଂ ଥର୍ମାଲ କାରଖାନା ନୂତନ ଭାବେ ନିର୍ମାଣ ପାଇଁ ୧୦ ହଜାର କୋଟି ଟଙ୍କା କେନ୍ଦ୍ର ସରକାର ଦେଇଛନ୍ତି । ଏସବୁ ସମ୍ଭବ ହୋଇପାରିଛି କେବଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟା ଯୋଗୁଁ । ଏହାକୁ ଦେଖି ଅସହିଷ୍ଣୁ ହୋଇପଡିଛନ୍ତି ତାଳଚେର ବିଧାୟକ ବୋଲି ଅଭିଯୋଗ କରିଛି ବିଜେପି । ଆଜି(ବୁଧବାର) ଦଳୀୟ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଏହା କୁହାଯାଇଛି ।
କିଛିଦିନ ପୂର୍ବେ ଥର୍ମାଲ ପ୍ଲାଣ୍ଟ ବନ୍ଦ ହୋଇଥିବାରୁ ଠିକା ଶ୍ରମିକ ମାନେ ସେମାନଙ୍କୁ ପୁନଃ ନିଯୁକ୍ତି ଦାବି କରି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ସେଠାରେ ବିଧାୟକ ଶ୍ରମିକ ମାନଙ୍କ ସମ୍ମୁଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ନେଇ ଅଭିଯୋଗ କରିଛି ବିଜେପି । ତେଣୁ, ଜଣେ ଦାୟିତ୍ୱବାନ ଲୋକ ପ୍ରତିନିଧିଙ୍କ ଏଭଳି ଆଚରଣ ଆଦୌ ଠିକ ନୁହେଁ । ବିଧାୟକ ତାଙ୍କର ଏଭଳି ଆଚରଣ ଯୋଗୁଁ ସର୍ବସାଧାରଣରେ କ୍ଷମା ମଗାନ୍ତୁ ବୋଲି ଦାବି କରିଛି ବିଜେପି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନ, ବରିଷ୍ଠ ନେତା ରୁଦ୍ରନାରାୟନ ପାଣି, ଅଶୋକ ମହାନ୍ତି, ପ୍ରତାପ ପ୍ରଧାନଙ୍କ ସମେତ ବହୁ ନେତା ଯୋଗ ଦେଇଥିଲେ । ତେବେ ପ୍ରତିକ୍ରିୟା ଜାଣିବା ପାଇଁ ତାଳଚେର ବିଧାୟକଙ୍କୁ ବାରମ୍ବାର ଫୋନ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନଥିଲା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ