ଅନୁଗୋଳ : 55 ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା । ରାସ୍ତା ମରାମତି ପାଇଁ ଗତ ରବିବାର ଅନୁଗୋଳ ଓକିଲ ସଂଘ ପକ୍ଷରୁ ୬ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଯାହାକୁ ବିଜେଡି ସମର୍ଥନ କରିଥିଲା । ହେଲେ ବୁଧବାର ଦିନ ରାସ୍ତା ମରାମତି ପାଇଁ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ବର ସ୍ଥିତ ଏନଏଚଏଆଇ ଜୋନ କାର୍ଯ୍ୟାଳୟକୁ ଯାଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଏହାସହ ରାସ୍ତା ମରାମତି ପାଇଁ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ ।
ତେବେ ରାସ୍ତା ମରମତିର ଶ୍ରେୟ ନେବାକୁ ଦୁଇ ଦଳ ମଧ୍ୟରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପର ରାଜନୀତି । ଏନେଇ ଆଜି ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ ଶାସକ ଦଳ ଉପରେ ବର୍ଷିଛି । ରାଜ୍ୟରେ ଶାସକ ଦଳ କେବଳ ଦୋଷ ତ୍ରୁଟି ଖୋଜିବାରେ ବ୍ୟସ୍ତ ରହୁଛି । ଲୋକଙ୍କ ସମସ୍ୟା ନଜରକୁ ଆସୁ ନାହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ନିତିନ ଗଡକାରୀଙ୍କ ସହ ଆଲୋଚନା କରି ଜାତୀୟ ରାଜପଥ ନିର୍ମାଣ ତୁରନ୍ତ ଶେଷ କରିବାକୁ ଅନୁରୋଧ କରିବା ପରେ ଏବେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ଜିଲ୍ଲା ପ୍ରଶାସନ ସ୍ଥାନୀୟ ନେତାଙ୍କ ହାତ ବାରିସି ସାଜି ଅନୁଗୋଳ ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତାରେ ମାତ୍ର ସାଢ଼େ ୫ କିମି ମରାମତି ବାବଦରେ ୮ କୋଟି ଟଙ୍କା ଖର୍ଚ୍ଚ କରିଛି । କିନ୍ତୁ ଅତି ନିମ୍ନ ମାନର କାମ ଯୋଗୁଁ ମାତ୍ର ଅଳ୍ପ ଦିନ ମଧ୍ୟରେ ରାସ୍ତାର ଅବସ୍ଥା ବେହାଲ ହୋଇଯାଇଛି ବୋଲି କହିଛି ବିଜେପି ।
ଅନୁଗୋଳ ଦେଇ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇ ପଡିଛି । ଫଳରେ ପ୍ରତିଦିନ ଦୁର୍ଘଟଣା ଘଟୁଥିବାର ନଜିର ରହିଛି । ସମ୍ବଲପୁର ଠାରୁ କଟକ ପର୍ଯ୍ୟନ୍ତ ଜାତୀୟ ରାଜପଥ ମରମତି ପାଇଁ ଦାବି କରିଛି ବିଜେପି । ତେବେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନ, ବରିଷ୍ଠ ନେତା ଅଶୋକ ମହାନ୍ତି ଓ ପ୍ରତାପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ଅନୁଗୋଳ, ଇଟିଭି ଭାରତ