ଅନୁଗୋଳ: ରାତି ପାହିଲେ ଗାଁ ଦାଣ୍ଡରେ ମହିଳାଙ୍କ ଭିଡ଼ । ସତେ ଯେମିତି କୌଣସି ଯାନିଯାତ୍ରା ଚାଲିଛି । ପାଣି ମୁନ୍ଦାଏ ପାଇଁ କେଉଁଠି କଳିଗୋଳ ତ ଆଉ କେଉଁଠି ଟଣା ଓଟରା । ଗାଁରେ ପିଇବା ପାଣିର ଅଭାବ ଯୋଗୁଁ ପାଇପରୁ ପାଣି ନେବା ପାଇଁ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଅନୁଗୋଳ ଜିଲ୍ଲାର ବଅଁରପାଲ ବ୍ଲକ ତଳମୂଳ ଶାସନ ଗାଁରେ ପିଇବା ପାଣି ପାଇଁ ଯେମିତି ପ୍ରତିଯୋଗିତା ଚାଲିଛି । ପାଣି ମୁନ୍ଦାଏ ପାଇଁ ଗାଁ ଦାଣ୍ଡରେ ଲୋକେ ଭିଡ ଜମାଉଛନ୍ତି । କିଏ ହାତରେ ଗରା ଧରିଛି ତ ଆଉ କିଏ ବାଲ୍ଟି ଆଉ କିଏ ବୋତଲ । କେଉଁଠି କଳିଗୋଳ ତ ଆଉ କେଉଁଠି ଟଣା ଓଟରା ।
ଗାଁରେ ପିଇବା ପାଣିର ଅଭାବ ଯୋଗୁଁ ପାଇପରୁ ପାଣି ନେବା ପାଇଁ ଲୋକେ ଏଭଳି ଭିଡ ଜମାଉଛନ୍ତି । ତେବେ କିଛି ସ୍ଥାନରେ ପାଇପ ଫାଟି ଯିବାରୁ ପହଞ୍ଚି ପାରୁନି ଉପରମୁଣ୍ଡକୁ ପାଣି । ଗାଁ ଦାଣ୍ଡରେ ପାଣି ଭାସୁଛି ହେଲେ ଲୋକଙ୍କ ଶୋଷ ମେଣ୍ଟୁନାହିଁ । ଶିଳ୍ପ ଜିଲ୍ଲା ଅନୁଗୋଳରେ ଜଳ ଯନ୍ତ୍ରଣାରେ ଦିନ କାଟୁଛନ୍ତି ତଳମୂଳ ଶାସନବାସୀ । ତଳମୂଳ ଶାସନ ଗାଁରେ ବର୍ଷବର୍ଷ ଧରି ଲାଗି ରହିଛି ଜଳ ସମସ୍ୟା । ଏଠାରେ ପିଇବା ପାଣି ପାଇଁ ଲୋକଙ୍କୁ କସରତ କରିବାକୁ ପଡୁଛି ।
ଏହାର ସମାଧାନ ପାଇଁ ୨୦୧୦ ମସିହାରେ ଜିଲ୍ଲା ଖଣିଜ ପାଣ୍ଠିରୁ ଗାଁ ପାଇଁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି । କିନ୍ତୁ ତାହା ଲୋକଙ୍କ ଆବଶ୍ୟକତା ମେଣ୍ଟାଇ ପାରୁନି । ପାଇପର କ୍ଷମତା ଅନୁସାରେ ମାତ୍ର ୫୨ଟି ଷ୍ଟାଣ୍ଡ ପୋଷ୍ଟ କରାଯାଇ ପାଣି ନେବାକଥା । କିନ୍ତୁ ଲୋକେ ପାଣି ନେବା ପାଇଁ ବିଭିନ୍ନ ସ୍ଥାନରେ ପାଇପରେ କଣା କରି ଦେଇଛନ୍ତି । ଫଳରେ ଉପର ମୁଣ୍ଡକୁ ଆଉ ପାଣି ଯାଇ ପାରୁ ନାହିଁ । ଏହା ଛଡା ୪ଦିନରେ ମାତ୍ର ଥରେ ଦୁଇଘଣ୍ଟା ପାଇଁ ଲୋକଙ୍କୁ ପାଣି ଯୋଗାଇ ଦିଆଯାଉଛି ।
ତେବେ ଦିନକୁ ଦିନ ଜଳ ସଙ୍କଟ ଅଧିକ ହେଉଥିବାରୁ ଆଗାମୀ ଦୁଇ ବର୍ଷ ପାଇଁ ପଞ୍ଚାୟତ ତରଫରୁ ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବାକୁ ଉଦ୍ୟମ କରାଯିବ ବୋଲି ସ୍ଥାନୀୟ ସରପଞ୍ଚ କହିଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏବେବି ଜାରି ରହିଛି । ଅଧିକାଂଶ କୂଅ, ନଳକୂଅ, ପୋଖରୀ ଓ ଜଳାଶୟ ଶୁଖିଯାଇଛି । ତେଣୁ ଏଭଳି ସ୍ଥଳେ ଏହି ଗାଁର ପାନୀୟଜଳ ସମସ୍ୟାର ସମାଧାନ ପାଇଁ ଲୋକେ ଦାବି କରିଛନ୍ତି ।