ଅନୁଗୋଳ: ଆଦିବାସୀ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବନବିଭାଗ କାର୍ଯ୍ୟାଳୟ ଘେରାଉ କରି ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରତିବାଦ । ଏଭଳି ପ୍ରତିବାଦ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ପାଲଲହଡା ବନ ବିଭାଗ କାର୍ଯ୍ୟାଳୟରେ ।
ସୂଚନାନୁସାରେ, ଗତ 21 ତାରିଖରେ ପାଲଲହଡା ସୋଲଡା ଥାନାର ବୁଧୁରାମ କୁଳାଙ୍ଗର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ବୁଧୁରାମ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଜଙ୍ଗଲ ବିଭାଗର ପେଟ୍ରୋଲିଂ ଗାଡିକୁ ଦେଖି ଦୌଡ ପଳାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଥିଲା । କିନ୍ତୁ ବୁଧୁରାମଙ୍କ ପରିବାର ବନ କର୍ମଚାରୀ ମାଡ ମାରିବା ଯୋଗୁ ତାର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ପକ୍ଷରୁ କୌଣସି ତଦନ୍ତ କରାଯାଇନାହିଁ । ଯାହାକୁ ପ୍ରତିବାଦ କରି ବନବିଭାଗ କାର୍ଯ୍ୟାଳୟ ଘେରିଥିଲେ ଏହି ଆଦିବାସୀ ଗ୍ରାମବାସୀ ।
ଏହା ସହ ବୁଧୁରାମଙ୍କ ସ୍ତ୍ରୀକୁ ଚାକିରୀ ଦେବା ସହ 10 ଲକ୍ଷ ଟଙ୍କା ଦେବାକୁ ଦାବି କରିଛନ୍ତି । ଯଦି ଏହାର ତୁରନ୍ତ ସମାଧାନ କରାନଯାଏ ତେବେ ବଡଧରଣର ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ