ଅନୁଗୋଳ: ଜିଲ୍ଲାରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ପୋଲିସ ପକ୍ଷରୁ ପ୍ରସ୍ତୁତି ହୋଇଛି । ପୂଜାରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏବର୍ଷ ଅର୍ଦ୍ଧସାମରିକ ବାହିନୀ ସହିତ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଏନେଇ ସମସ୍ତଙ୍କୁ ତାଲିମ ଦିଆଯାଇଛି ।
ରବିବାର ଧରାବତରଣ କରିବେ ଧନଦାତ୍ରୀ ମା' ମହାଲକ୍ଷ୍ମୀ । ଦେବୀଙ୍କ ଆବାହନ ପାଇଁ ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସେପଟେ ଅନୁଗୋଳରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ଗାଁଠୁ ସହର ସବୁ ଏବେ ଚଳଚଞ୍ଚଳ । ମା'ଙ୍କ ଆଗମନରେ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ସ୍ଵତନ୍ତ୍ର ପ୍ରସ୍ତୁତି କରାଯାଇଛି
ପୂଜାରେ ଆଇନ ଶୃଙ୍ଖଳା ଓ ଭିଡକୁ ନିୟନ୍ତ୍ରଣ ପାଇଁ ସ୍ଵତନ୍ତ୍ର ଭାବେ ତିନିଜଣ ଅତିରିକ୍ତ ଏସପିଙ୍କୁ ସୁରକ୍ଷା ଦାୟିତ୍ବ ଦିଆଯାଇଛି । ତାଙ୍କ ସହ 4 ଜଣ ଡ଼ିଏସପି ଓ 6 ଜଣ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ବ ତୁଲାଇବେ । ଏହା ସହ ଏକ କମ୍ପାନୀ ପରାମିଲିଟାରୀ ଫୋର୍ସ ସହ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ରବିବାର ଅନୁଗୋଳ ଷ୍ଟାଡିୟମରେ ଆୟୋଜିତ ତାଲିମ ସଭାରେ ସମସ୍ତ ଡ଼ିଏସପି, ଇନ୍ସପେକ୍ଟର ଓ ମୁତୟନ ହେବାକୁ ଥିବା ଯବାନ ସାମିଲ ହୋଇଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ