ଅନୁଗୋଳ: ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ନାଳ ଗୁଡିକରେ ପାଣି ବଢିଛି । କେତେକ ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଛି । ଘର ଭିତରେ ପାଣି ପଶି ଯାଇଛି ।
ବିଶେଷ କରି ଜିଲ୍ଲାର କିଶୋର ନଗର ବ୍ଲକ ଓ କଣିହାଁ ବ୍ଲକରେ ଅଧିକ ବର୍ଷା ହୋଇଛି । ଅନୁଗୋଳ ବ୍ଲକରେ ୭୦, ବଅଁରପାଳ ବ୍ଲକରେ ୯୨, ଛେଣ୍ଡିପଦା ବ୍ଲକରେ 28, ତାଳଚେର ବ୍ଲକରେ 95, କଣିହାଁ ବ୍ଲକରେ 80, ଆଠମଲ୍ଲିକ ବ୍ଲକରେ 101, କିଶୋରନଗର ବ୍ଲକରେ 132 ଓ ପାଳଲହଡା ବ୍ଲକରେ 113 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେଣୁ ଜିଲ୍ଲାରେ ଗୋଟିଏ ଦିନରେ ମୋଟ 713 ମିଲିମିଟର ବର୍ଷା ହୋଇଛି । ଚାରିଆଡେ ପାଣି ଧାନ କ୍ଷେତରେ ପାଣି ଜମି ରହିଛି । ରେଙ୍ଗାଳିରେ ଗାଁ ଭିତରେ ପାଣି ପଶି ଯାଇଛି । ପ୍ରାୟ 30ଟି ପରିବାର ପାଣି ଭିତରେ ରହିଛନ୍ତି । ଗୃହ ପାଳିତ ପଶୁମାନେ ମଧ୍ୟ ପାଣି ଭିତରେ ରହିଛନ୍ତି । ଲଗାଣ ବର୍ଷା ଜାରି ରହିଥିବାରୁ ପାଣି କମୁ ନାହିଁ। ରେଙ୍ଗାଳିରେ ଦମକଳ ବାହିନୀ ପହଞ୍ଚି ଘର ଭିତରୁ ଜଳ ନିଷ୍କାସନ କରୁଛି । ଭୋକ ଉପାସରେ ଲୋକେ ରହିଛନ୍ତି । କଣିହାଁ ବିଡ଼ିଓ ରେଙ୍ଗାଲି ଗାଁରେ ପହଞ୍ଚି ସ୍ଥିତି ଦେଖିଛନ୍ତି । ବିପନ୍ନ ପରିବାର ଗୁଡିକୁ ଖାଦ୍ୟ ଓ ପଲିଥିନ ଦେବାର ବ୍ୟବସ୍ଥା କରିଛନ୍ତି। ସେହିପରି କିଶୋରନଗର ବ୍ଲକର ଅରଖକତା ନାଳରେ ବଢି ପାଣିରେ ଗତକାଲି ସନ୍ଧ୍ୟାରେ ଏକ ବୋଲେରୋ ଭାସି ଯାଇଥିଲା। ସେଥିରେ 6ଜଣ ବସିଥିଲେ ମଧ୍ୟ ସୌଭାଗ୍ୟବଶତଃ ସମସ୍ତେ ରକ୍ଷା ପାଇଯାଇଥିଲେ ।
ଆଠମଲ୍ଲିକ ବିଧାୟକ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ । ବିଭିନ୍ନ ସ୍ଥାନ ବୁଲି ଫସଲ କ୍ଷୟକ୍ଷତି ଦେଖିଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଳ୍ପ ବହୁତ କ୍ଷତି ହୋଇଛି । ତେବେ ଏହି ବର୍ଷା ଲାଗି ରହିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ଶିକାର ହେଉଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ