ଅନୁଗୋଳ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରକୁ ବିଜୁ ପକ୍କାଘର ନାଁରେ ହିତାଧିକାରୀଙ୍କୁ ଦିଆଯାଉଥିବାରୁ ଏହାକୁ ବିରୋଧ କରିଛି ଭାରତୀୟ ଜନତା ପାର୍ଟି । କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ କରି ବାହାବା ନେବାର ଅଭିଯୋଗରେ ଆଜି(ସୋମବାର) ଦଳ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ କରାଯାଇଛି ।
ଦଳୀୟ କର୍ମୀ ଓ ନେତାମାନେ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ଅନୁଗୋଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏହି ବିକ୍ଷୋଭ କରିଛନ୍ତି । ଦଳର କର୍ମୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସ୍ୱୀକୃତି ପତ୍ରକୁ ବିଜୁ ପକ୍କାଘର ନାଁରେ କରାଯାଇଥିବାରୁ ଏହି ସ୍ୱୀକୃତି ପତ୍ରକୁ ମଧ୍ୟ ଚିରିବା ସହ ନିଆଁ ଲଗାଇଦେଇଛନ୍ତି ଦଳୀୟ ନେତା ଓ କର୍ମୀ ।
ଜିଲ୍ଲା ସଭାପତି ଡିଲେଶ୍ବର ପ୍ରଧାନଙ୍କ ନେତୃତ୍ୱରେ ଦଳର ରାଜ୍ୟ କାଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ ଓ ଅନ୍ୟ ନେତାମାନେ ଏହି ପ୍ରତିବାଦ ଓ ବିକ୍ଷୋଭରେ ସାମିଲ ହୋଇଥିଲେ । ଜିଲ୍ଲାର ଆଠଟି ଯାକ ବ୍ଳକ ସମ୍ମୁଖରେ ଏହି ପ୍ରତିବାଦ କରିଛି ବିଜେପି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ