ଅନୁଗୋଳ: ୫କୁଇଣ୍ଟାଲ ୮୪ କେଜି ଗଞ୍ଜେଇ ନଷ୍ଟ କଲା ଅନୁଗୋଳ ପୋଲିସ । ୨୦୧୪ ମସିହାରେ ଜବତ ହୋଇଥିବା ଗଞ୍ଜେଇକୁ ନାଲକୋ ସ୍ମେଲଟର ପ୍ଲାଣ୍ଟର ଲାଡର୍ ସପ୍ ବିଭାଗରେ ଜାଳି ଦିଆଯାଇଛି । ପୂର୍ବରୁ ଏହି ସବୁ ଗଞ୍ଜେଇକୁ ନଷ୍ଟ କରିବା ପାଇଁ କୋର୍ଟ ଅନୁମତି ଦେବା ପରେ ଏହାକୁ ସୁରକ୍ଷିତ ଭାବେ ଜାଳି ନଷ୍ଟ କରିଛି ପୋଲିସ । ଏହି ସମୟରେ ଅନୁଗୋଳ ଏସ୍ପି ଜଗମୋହନ ମୀନା ଓ ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକଙ୍କ ଉପସ୍ଥିତ ଥିଲେ ।
ଏହା ମଧ୍ୟ ପଢନ୍ତୁ-କୁଟୁନପାଲି ଘାଟ ନିକଟରେ ଡଙ୍ଗା ବୁଡି, ଯନ୍ତ୍ରୀ ନିଖୋଜ
ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ଛେଣ୍ଡିପଦା ଅଞ୍ଚଳ ଗଞ୍ଜେଇ କାରବାରର ହବ୍ ପାଲଟି ଥିବା ବେଳେ ଗଞ୍ଜେଇ ଚାଲାଣ କରି ମାଫିଆମାନେ ବିଭିନ୍ନ ସ୍ଥାନରେ ଗଞ୍ଜେଇ ମହଜୁଦ ରଖୁଥିଲେ । ତେଣୁ ଏମାନଙ୍କୁ ସାବାଡ୍ କରିବା ପାଇଁ ପୋଲିସ ଜୋରଦାର ଧରପଗଡ଼ କରିଥିଲା । ଏହାପରେ ୨୦୧୪ରେ ଅନୁଗୋଳରୁ ଅନ୍ୟ ସ୍ଥାନକୁ ଚାଲାଣ ହେଉଥିବା ୫ କୁଇଣ୍ଟାଲ ୮୪ କେଜି ଗଞ୍ଜେଇକୁ ଜବତ କରିଥିଲା ଛେଣ୍ଡିପଦା ପୋଲିସ । ଏନେଇ ଛେଣ୍ଡିପଦା ଥାନା ପୋଲିସ ୬୨/୧୪ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ସେହିଦିନ ଠାରୁ ଏହି ଗଞ୍ଜେଇ ଛେଣ୍ଡିପଦା ଥାନାର ମାଲଖାନାରେ ରଖାଯାଇଥିଲା ।
ଗଞ୍ଜେଇକୁ ନଷ୍ଟ କରିବା ପାଇଁ କୋର୍ଟ ଅନୁମତି ଦେବା ପରେ ଦୀର୍ଘ ୭ ବର୍ଷ ପରେ ଶୁକ୍ରବାର ଏହାକୁ ସୁରକ୍ଷିତ ଭାବେ ଜାଳି ଦିଆଯାଇଛି । ଏହି ଗଞ୍ଜେଇକୁ ବାହାରେ ଜାଳିଲେ ଧୂଆଁ ବାହାରିବା ସହ ପ୍ରଦୂଷଣର ଆଶଙ୍କା ରହିଥିଲା । ଏପରିକି ଏହା ସାଧାରଣ ଲୋକଙ୍କୁ ମଧ୍ୟ ପ୍ରଭାବିତ କରିପାରେ। ତେଣୁ ସ୍ମେଲଟର ପ୍ଲାଣ୍ଟରେ ଏହାକୁ ପୋଡ଼ା ଯାଇଥିଲା ।