ଅନୁଗୋଳ: ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଶବକୁ ଅସମ୍ମାନ । ଶବ ଗୃହରେ ଶବକୁ ମିଳିଲାନି ସ୍ଥାନ । ରାତି ତମାମ ଶବକୁ ଜଗିରହିଥିଲେ ମୃତକଙ୍କ ପରିବାର । ଆଜି ପୁଣି ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ।
ଗତକାଲି ଡାକ୍ତରଖାନାକୁ ଗୁରୁତର ଅବସ୍ଥାରେ ଆସିଥିବା ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ ଶବ ଗୃହରେ ନରଖି ବାହାରେ ପକାଇ ଦେଇଥିଲେ । ତେଣୁ ରାତି ତମାମ ମୃତ ଦେହକୁ ତାଙ୍କ ପରିବାର ଲୋକେ ବାହାରେ ଜଗି ବସିଥିଲେ ।
ସୂଚନା ଅନୁସାରେ, ଗତକାଲି ରାତିରେ ଏକ ସଡକ ଦୁର୍ଘଟଣାରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥନା ଦାଦାରାଘଟି ନିକଟରେ ଗଙ୍ଗା ସେନାପତି ନାମକ ଜଣେ ବ୍ୟକ୍ତି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଅନୁଗୋଳ ଡାକ୍ତରଖାନାକୁ ଅଣାଯାଇଥଲାବେଳେ ତାଙ୍କର ମୃତ୍ୟୁ ହୋଇଛି । ହେଲେ ମୃତ୍ୟୁ ପରେ ତାଙ୍କ ମୃତ୍ୟୁ ଦେହକୁ ଶବ ଗୃହରେ ରଖିନଥିଲେ ।
ସେହିଭଳି ନାଲକୋ ଥାନା ଗିରାଙ୍ଗ ସୁବାସ ନାଏକ ସାପ କାମୁଡ଼ାରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଆସିଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ତାଙ୍କ ମୃତଦେହକୁ ମଧ୍ୟ ଶବ ଗୃହରେ ରଖି ନଥିଲେ। ଏନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ଡାକ୍ତଖାନା କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ