ଅନୁଗୋଳ: ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଗଜରାଜ। ତିନିଦିନ ହେବେ ଅସୁସ୍ଥ ହୋଇ ବୁଲୁଥିବା ହାତୀଟି ଶେଷରେ ପ୍ରାଣ ହରାଇଛି । ବନ ବିଭାଗ ଚିକିତ୍ସା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଶେଷରେ ପ୍ରାଣ ହରାଇଛି ହାତୀ ।
ତିନିଦିନ ଧରି ଧାନବିଲରେ ପଡିରହିବା ପରେ ମାଈ ହାତୀଟିର ଜୀବନ ଯାଇଛି । ଅନୁଗୋଳର ଖମାର ବନାଞ୍ଚଳରେ ଘଟିଛି ଏପରି ଏକ ଘଟଣା । ତେବେ ହାତୀ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଖମାର ବନାଞ୍ଚଳ କରଡ଼ାପାଳ ପଞ୍ଚାୟତ ଗୁରୁଣ୍ଡିଆ ମୁଣ୍ଡାଚୁରା ନାଳି ପାଖ ବିଲରେ ମୁର୍ମୁଷୁ ଅବସ୍ଥାରେ ଏହି ମାଈ ହାତୀ ପଡି ରହିଥିଲା । ଗାଁ ଲୋକେ ଜାଣିବା ପରେ ଏନେଇ ଖମରା ବନବିଭାଗକୁ ସୂଚନା ଦେଇଥିଲେ । ଖବର ପାଇ ବନବିଭାଗ ସେଠାରେ ପହଞ୍ଚି ହାତୀର ଚିକିତ୍ସା ପାଇଁ ବନ୍ଦୋବସ୍ତ କରାଯିବ ବୋଲି କହିଥିଲା । ହେଲେ ଶେଷରେ ଚିକିତ୍ସା ଅଭାବରୁ ହାତୀଟି ପ୍ରାଣ ହରାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ