ଅନୁଗୋଳ: ଜିଲ୍ଲାର ପୋକତୁଙ୍ଗା ଗାଁରେ ପ୍ରାୟ ୨୦ଟି ଖ୍ରୀଷ୍ଟିଆନ ପରିବାର ହିନ୍ଦୁ ଧର୍ମକୁ ଫେରିଛନ୍ତି । ଏଥିପାଇଁ ଗାଁର ରଣେଶ୍ୱର ମନ୍ଦିରରେ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିଲା । ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ହୋମ ଯଜ୍ଞ ଆଦି କରାଯାଇଛି । ଖ୍ରୀଷ୍ଟିଆନ ପରିବାରର ସଦସ୍ୟଙ୍କୁ ଗଙ୍ଗା ଜଳ ସିଞ୍ଚନ କରି ପଞ୍ଚାମୃତ ସେବନ କରାଇ ପୁଣି ଥରେ ହିନ୍ଦୁ ଧର୍ମକୁ ଫେରାଇ ଅଣାଯାଇଛି ।
ଚାଲିଛି ହୋମ ଯଜ୍ଞ, ହେଉଛି ସୁଧି ସଂସ୍କାର କାର୍ଯ୍ୟକ୍ରମ । ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ମନ୍ଦିର ପରିସର । ଏକାଠି ହୋଇଛନ୍ତି ବହୁ ଗାଁ ଲୋକେ । ଏ ଦୃଶ୍ୟ ହେଉଛି ଅନୁଗୋଳ ଜିଲ୍ଲା ପୋକ ତୁଙ୍ଗା ଗାଁରେ ଥିବା ଶୈବପୀଠ ରଣେଶ୍ଵର ମନ୍ଦିରର । ଏହି ହୋମ ଯଜ୍ଞ ହେଉଛି ଗାଁ ଲୋକଙ୍କ ପାଇଁ । ଗାଁର ପ୍ରାୟ ୨୦ ପରିବାର ହିନ୍ଦୁ ଧର୍ମକୁ ଫେରୁଛନ୍ତି । ଯାହାଙ୍କ ପାଇଁ ଏହି ହୋମ ଯଜ୍ଞ ଚାଲିଛି । ବିଶ୍ୱ ହିନ୍ଦୁ ପରିଷଦର ବହୁ ବରିଷ୍ଠ କର୍ମକର୍ତ୍ତା ଏହି କାର୍ଯ୍ୟକର୍ମରେ ଯୋଗଦେଇ ଧର୍ମ ପରିବର୍ତ୍ତନ କରିଥିବା ଲୋକମାନଙ୍କୁ ସ୍ଵାଗତ କରିଛନ୍ତି । ବିଧି ଅନୁସାରେ ସୁଧି ସଂସ୍କାର କରାଯାଇ ସମସ୍ତ ରୀତିନୀତି ସମ୍ପର୍ଣ୍ଣ ହେବା ପରେ ହିନ୍ଦୁ ଧର୍ମରେ ସାମିଲ ହୋଇଛନ୍ତି ଏହି ୨୦ ପରିବାର ।
କିଛି ଲୋକଙ୍କ ପ୍ରଲୋଭନର ଶିକାର ହୋଇ ସେମାନେ ଧର୍ମ ବଦଳାଇ ଥିବାରୁ ଦୁଃଖ ପ୍ରକାଶ କରିବା ସହ ପୁଣି ଥରେ ମୂଳ ଧର୍ମକୁ ଫେରି ଆସିଥିବାରୁ ବେଶ ଖୁସି ଥିବା କହିଛନ୍ତି । ପୋକତୁଙ୍ଗା ଗାଁର ଅନୁସୂଚିତ ଜାତିର ବସ୍ତିରେ ବସବାସ କରୁଥିବା ଅଧିବାସୀମାନେ ଅତ୍ୟନ୍ତ ଗରିବ ଶ୍ରେଣୀର । ଏହାର ସୁଯୋଗ ନେଇ କେତେକ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ସେମାନଙ୍କୁ ବିଭିନ୍ନ ପ୍ରକାର ପ୍ରତିଶୃତି ଓ ପ୍ରଲୋଭନ ଦେଖାଇ ଏହି ପରିବାର ସଦସ୍ୟମାନଙ୍କୁ ଖ୍ରୀଷ୍ଟିଆନ ଧର୍ମରେ ଦୀକ୍ଷିତ କରାଇଥିଲେ । କିନ୍ତୁ ପ୍ରତିଶୃତି ଓ ପ୍ରଲୋଭନ ଅନୁଯାୟୀ ଏହି ଗରିବ ଲୋକଙ୍କୁ କୌଣସି ସହାୟତା ମିଳିନଥିଲା ।
ଅନ୍ୟପଟେ ଗାଁର ସାହି ପଡିଶା ଓ ଅନ୍ୟ ଗ୍ରାମବାସୀଙ୍କ ଠାରୁ ମଧ୍ୟ ସେମାନେ କୌଣସି ସହଯୋଗ ପାଇ ନଥିଲେ । ଫଳରେ ବାଧ୍ୟ ହୋଇ ସେହି ପରିବାର ଗୁଡିକ ପୁଣିଥରେ ମୂଳ ଧର୍ମକୁ ଫେରିବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ । ସେମାନଙ୍କ ଅନୁରୋଧ ଯୋଗୁ ଏଭଳି ଏକ ଆଧ୍ୟାତ୍ମିକ ପରିବେଶ ଭିତରେ ସେମାନେ ହିନ୍ଦୁ ଧର୍ମକୁ ଫେରିଥିଲେ । କେବଳ ଯେ, ଏହି ପୋକତୁଙ୍ଗା ନୁହେଁ, ଅନେକ ସ୍ଥାନରେ ଗରିବ ଅସହାୟ ପରିବାର ପ୍ରଲୋଭନରେ ଆସି ଧର୍ମ ପରିବର୍ତ୍ତନ କରୁଛନ୍ତି, ଯାହାକି ଏକ ସୁସ୍ଥ ସମାଜ ଗଠନ ଦିଗରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିବା ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ