ଅନୁଗୋଳ: ବଜ୍ରପାତରେ ଅନୁଗୋଳ ଥାନା ଅନ୍ତର୍ଗତ ରନ୍ତଲେଇ ଯାଯାବର ଗାଁରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ଦ୍ବୟ ସମ୍ପର୍କରେ ମା' ପୁଅ ହୋଇଥିବା ବେଳେ ସେମାନେ ସୁଦୂର ମହାରାଷ୍ଟ୍ରର ବାସିନ୍ଦା ବୋଲି ଜଣାପଡ଼ିଛି । ମୃତକମାନେ ହେଉଛନ୍ତି ମା ମନୋହର ବାହିନୀ ବଲଦାର ଓ ପୁଅ ନନ୍ଦୁ ।
ଖବର ଅନୁଯାୟୀ, ମୃତକ 2 ଜଣ ମହାରାଷ୍ଟ୍ର ଅଞ୍ଚଳର। ଏମାନେ ଦୀର୍ଘ ବର୍ଷ ହେବ ଔଷଧ ବ୍ୟବସାୟ ପାଇଁ ଆସିଥିବା ବେଳେ ଏକ ଅସ୍ଥାୟୀ ତମ୍ବୁରେ ଯାଯାବର ଜୀବନଯାପନ କରୁଥିଲେ। ତେବେ ଗତକାଲି ରାତିରେ ରୋଷେଇ କରୁଥିବା ବେଳେ ହଠାତ ବଜ୍ରପାତ ହେବାରୁ ତମ୍ବୁ ଜଳି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉଭଯଙ୍କର ମୃତ୍ୟୁ ହୋଇଥିଲା ।
ସେମାନଙ୍କ ପରିବାର କିମ୍ବା ପୋଲିସ ଆସି ନଥିବାରୁ ତମ୍ବୁ ଭିତରେ ତାଙ୍କ ମୃତଦେହ ବର୍ତ୍ତମାନ ପର୍ଯ୍ୟନ୍ତ ପଡିରହିଛି । ସୂଚନା ଅନୁସାରେ ମୃତକଙ୍କ ପରିବାର ମହାରାଷ୍ଟ୍ରରୁ ଅନୁଗୋଳକୁ ଆସୁଥିବା ଜଣାପଡ଼ିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ପୋଲିସ ଏ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚିନାହିଁ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ