ନ୍ୟୁୟର୍କ: ଯୁଗ୍ମ ଭାବେ ନିଜର ପ୍ରଥମ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ଭାଗିଦାର ଲୌରା ସିଗମଣ୍ଡ ଓ ଭେରା ଜ୍ବୋନାରେଭା 2020 ୟୁଏସ ଓପନ ଫାଇନାଲରେ ଟ୍ରଫି ହାତେଇଛନ୍ତି । ଉଭୟ ଫାଇନାଲ ମ୍ୟାଚରେ ଆମେରିକାର ନିକୋଲ ମେଲିଚର ଓ ଚୀନର ଜୁ ଇଫାନଙ୍କୁ ପରାସ୍ତ କରିଛନ୍ତି ।
ଶୁକ୍ରବାର ଆର୍ଥର ଆଶ ଷ୍ଟାଡିୟମରେ ଉଭୟ ଅନସିଡେଡ ପାର୍ଟନର ଥାର୍ଡ ସିଡେଡ ପ୍ରତିପକ୍ଷକୁ 79 ମିନିଟ ମ୍ୟାଚରେ 6-4, 6-4 ସେଟରେ ପରାଜିତ କରି ଟାଇଟଲ ହାତେଇଛନ୍ତି ।
ଫାଇନାଲରେ ବିଜୟ ସହ ଉଭୟ ଚାମ୍ପିଅନ ନିଜର ଯାତ୍ରା ସମାପ୍ତ କରିଛନ୍ତି । ଏହି ଇଭେଣ୍ଟ ପୂର୍ବରୁ କେବେ ବି ଏକାଠି ଖେଳି ନଥିବା ସିଗମଣ୍ଡ ଏବଂ ଜ୍ବୋନାରେଭା ପ୍ରତିଦ୍ବନ୍ଦ୍ବୀଙ୍କ ସର୍ଭକୁ ତିନି ଥର ଭାଙ୍ଗି ଫାଇନାଲରେ ବିଜୟୀ ହୋଇଥିଲେ ।
ଟୁର୍ଣ୍ଣାମେଣ୍ଟର ଅଧିକାରୀକ ୱେବସାଇଟ ଅନୁଯାୟୀ ଟ୍ରଫି ଜିତିବା ପରେ ଜ୍ବୋନେରେଭା କହିଛନ୍ତି ଯେ, ‘‘ଏହି ଦୁଇ ସପ୍ତାହ ମୋ ପାଇଁ ଖାସ କାରଣ ମୁଁ ଦୀର୍ଘ ଦିନ ଧରି ଏହି ଟୁର ଠାରୁ ଦୂରରେ ଥିଲି ।’’
‘‘ମୁଁ ଅନେକ ବ୍ୟାକ-ଟୁ-ବ୍ୟାକ ମ୍ୟାଚ ଖେଳି ନାହିଁ । ମୁଁ ଭାବୁଛି ଟୁର୍ଣ୍ଣାମେଣ୍ଟର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ମୁଁ ଲୌରାଙ୍କ ସହ କୋର୍ଟରେ ମୋର ସମୟ ଉପଭୋଗ କରୁଥିଲି । ସେ ମତେ ଟେନିସ କୋର୍ଟରେ ଭଲ ଅନୁଭବ କରାଉଥିଲେ । ସେ ବହୁତ ସାହାଯ୍ୟ କରିଥିଲେ । ମୁଁ ଭାବୁଛି ତାହା ହିଁ ଆମକୁ କିଛି କଷ୍ଟସାଧ୍ୟ ମ୍ୟାଚ ଜିତିବାରେ ସହାୟକ ହୋଇଥିଲା ।’’
@IANS