ଦୁବାଇ: ଟି-ଟ୍ବେଣ୍ଟି ବିଶ୍ବକପର ସୁପର-୧୨ ରାଉଣ୍ଡ(ଗ୍ରୁପ-1)ରେ ଆଜି(ଗୁରୁବାର) ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ । ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବା ପରେ ଅଷ୍ଟ୍ରେଲିଆର ମନୋବଳ ଦୃଢ ରହିଛି । ଶ୍ରୀଲଙ୍କା ମନୋବଳ ଦୃଢ ନଥିଲେ ମଧ୍ୟ ସେ ୪ଟି ମ୍ୟାଚ ଜିତି ସାରିଛି । ଆଜିର ମ୍ୟାଚରେ କଡା ମୁକାବିଲା ଦେଖିବାକୁ ମିଳିବ । ଅଷ୍ଟ୍ରେଲିଆକୁ ହରାଇବାକୁ ଶ୍ରୀଲଙ୍କା ଯୋଜନା ପ୍ରସ୍ତୁତ କରିଛି ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆ ଚମତ୍କାର ବୋଲିଂ କରିଥିଲା । ହେଲେ ବ୍ୟାଟ୍ସମ୍ୟାନଙ୍କ ଦକ୍ଷତା ଅନୁସାରେ ସେମାନେ ଫେଲ ମାରିଥିଲେ । ଅନେକ ବ୍ୟାଟ୍ସମ୍ୟାନ ଚାପରେ ରହିଥିଲେ । ଯାହାର ଫାଇଦା ଉଠାଉଥିଲା ଅଷ୍ଟ୍ରେଲିଆ । ଏପଟେ ଶ୍ରୀଲଙ୍କା ସ୍ପିନରମାନେ ମଧ୍ୟ ଅଷ୍ଟ୍ରେଲିଆର ମୁଣ୍ଡ ବିନ୍ଧାର କାରଣ ହୋଇପାରନ୍ତି । ବାଂଲାଦେଶ ବିପକ୍ଷରେ ବିଜୟ ହାସଲ କରିବା ପରେ ଫୁଲ ଫର୍ମରେ ଅଛି ଶ୍ରୀଲଙ୍କା । ଦଳର ପ୍ରତ୍ୟେକ ଖେଳାଳି ଫିଟ ଅଛନ୍ତି । ଅଷ୍ଟ୍ରେଲିଆକୁ ହରାଇବାକୁ ଶ୍ରୀଲଙ୍କା ପାଖରେ ଯଥେଷ୍ଟ କ୍ଷମତା ଥିବା ବାରି ହୋଇପଡୁଛି ।
ଆଜିର ମ୍ୟାଚରେ ଶ୍ରୀଲଙ୍କାର ଚରିତ ଆସାଲଙ୍କା ଓ ଭାନୁକାଙ୍କ ଉପରେ ନଜର ରହିବ । ବାଂଲାଦେଶ ବିପକ୍ଷରେ ଉଭୟଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ ୱାର୍ଣ୍ଣରଙ୍କ ଉପରେ ନଜର ରହିବ । ଶ୍ରୀଲଙ୍କା ବିପକ୍ଷରେ ତାଙ୍କର ଭଲ ପ୍ରଦର୍ଶନ ରହିଛି । ସେ ଶ୍ରୀଲଙ୍କା ବିପକ୍ଷରେ ୫୫.୯୦ ରନ ରେଟ ସଂଗ୍ରହ କରିଛନ୍ତି । ତେବେ କିଏ ଜିତୁଛି ମୁକାବିଲା ଦେଖିବା ବାକି ରହିଲା । ସନ୍ଦ୍ୟା ୭ଟା ୩୦ରେ ଆରମ୍ଭ ହେବ ମ୍ୟାଚ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ