ଦୁବାଇ: ଭାରତୀୟ କ୍ୟାପଟେନ ବିରାଟ କୋହଲି ଶନିବାର ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଧର୍ମ ଆଧାରରେ ସମାଲୋଚନା କରିଥିବା ଲୋକଙ୍କୁ କଡା ଜବାବ ଦେଇଛନ୍ତି । କୌଣସି ଲୋକଙ୍କୁ ତା'ର ଧର୍ମ ଆଧାରରେ ଆକ୍ରମଣ କରିବା ମଣିଷ ପାଇଁ ସବୁଠୁ ଦୁଃଖଦ କାର୍ଯ୍ୟ । ରବିବାର ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି କୋହଲି ।
କୋହଲି କହିଛନ୍ତି,"ଗୋଟିଏ ମ୍ୟାଚ୍ ଅନ୍ୟଠାରୁ କେବେବି ଗୁରୁତ୍ବପୂର୍ଣ୍ଣ ନୁହେଁ, ପ୍ରତ୍ୟେକ କ୍ରିକେଟ ମ୍ୟାଚ୍ ଗୁରୁତ୍ବପୂର୍ଣ୍ଣ ।"
ଟି-୨୦ ବିଶ୍ବକପରେ ଗତ ରବିବାର ଭାରତ ଖେଳିଥିବା ପ୍ରଥମ ମ୍ୟାଚ୍ରେ ପାକିସ୍ତାନ ଠାରୁ ପରାଜୟ ପରେ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଅନଲାଇନ ଆକ୍ରମଣର ଶିକାର ହେବାକୁ ପଡିଥିଲା । ମ୍ୟାଚ୍ ଶେଷ ହେବାର କିଛି ମିନିଟ ମଧ୍ୟରେ କିଛି ଫ୍ୟାନ୍ସ ଇନଷ୍ଟାଗ୍ରାମ ଓ ଟ୍ବିଟରରେ ସାମିଙ୍କ ବିରୁଦ୍ଧରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ ।
ଟି-୨୦ ବିଶ୍ବକପରେ ଭାରତର ପରବର୍ତ୍ତୀ ମୁକାବିଲା ନ୍ୟୁଜିଲାଣ୍ଡ ବିପକ୍ଷରେ ରହିଛି । ରବିବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଉଭୟ ଟିମ ପାକିସ୍ତାନ ଠାରୁ ପରାସ୍ତ ହୋଇସାରିଥିବାରୁ ସେମିଫାଇନାଲ ଦୌଡରେ ରହିବାକୁ ଏହା କର ବା ମର ମ୍ୟାଚ୍ ପରି ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ