ଆଗ୍ରା: ହରିୟାଣାର ଯୁବ କୁସ୍ତି ଯୋଦ୍ଧା ସୋନମ ମଲିକ ଶନିବାର ନିଜର ଚମତ୍କାର ପ୍ରଦର୍ଶନରେ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଚଳିତ ମହିଳା କୁସ୍ତି ଚମ୍ପିଆନସିପରେ 62 କିଲୋଗ୍ରାମ ବର୍ଗ ଫାଇନାଲରେ 2016 ଅଲମ୍ପିକ ବ୍ରୋଞ୍ଜ ମେଡାଲ ବିଜେତା ଓ ଅନ୍ୟତମ ବରିଷ୍ଠ ହରିୟାଣା କୁସ୍ତିଯୋଦ୍ଧା ସାକ୍ଷୀ ମଲିକଙ୍କୁ 7-5ରେ ହରାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି ସୋନମ ।
ସାକ୍ଷୀଙ୍କ ବିପକ୍ଷରେ ଦୁଇଥରର କ୍ୟାଡେଟ ବିଶ୍ବ ଚମ୍ପିଆନ ସୋନମଙ୍କର ଏହା କ୍ରମାଗତ ତୃତୀୟ ବିଜୟ । ଗତବର୍ଷ ଫେବ୍ରୁଆରୀରେ ଏସିଆନ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଟ୍ରାଏଲ ଓ ଗତବର୍ଷ ଜାନୁଆରୀରେ ହୋଇଥିବା ଏସିଆନ ଚମ୍ପିଆନସିପ ଟ୍ରାଏଲ ମ୍ୟାଚରେ ସୋନମ ବିଜୟୀ ହୋଇଥିଲେ ।
ମଧ୍ୟପ୍ରଦେଶର ପୁଷ୍ପା ଓ ହରିୟାଣାର ମନୀଷା 62 କିଲୋଗ୍ରାମରେ ବ୍ରୋଞ୍ଜ ମେଡାଲରେ ସନ୍ତୁଷ୍ଟ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ