ଭୁବନେଶ୍ବର: ଜାତୀୟ ଜୁନିଅର ଆଥଲେଟିକ୍ସ ଚାମ୍ପିୟନସିପରେ ଚମକିଲେ ଓଡ଼ିଆ ଆଥଲେଟ । ଆସାମର ଗୌହାଟିରେ 36ତମ ଜାତୀୟ ଜୁନିଅର ଆଥଲେଟିକ୍ସ ଚାମ୍ପିୟନସିପ 2021 ଅନୁଷ୍ଠିତ ହୋଇଛି । ଏଥିରେ ଦୁଇ ଓଡ଼ିଆ ଆଥଲେଟ ସବିତା ଟପ୍ପୋ ଓ ରାଜେନ୍ଦ୍ର ସିନ୍ଧୁ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।
ସବିତା 80 ମିଟର ହର୍ଡଲ୍ସ ଦୌଡ଼ରେ ରୌପ୍ୟ ପଦକ ହାସଲ କରିଛନ୍ତି । ସେହିପରି ପୁରୁଷ ବିଭାଗରେ ରାଜେନ୍ଦ୍ର ସିନ୍ଧୁ ମଧ୍ୟ 80 ମିଟର ହର୍ଡଲ୍ସ ଦୌଡ଼ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହାପୂର୍ବରୁ ଫେବ୍ରୁଆରୀ 6 ତାରିଖରେ ସବିତା 16 ବର୍ଷୀୟ ବିଭାଗର ଲଙ୍ଗ୍ ଜମ୍ପରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ସେ 5.59 ମିଟର ଲଙ୍ଗ୍ ଜମ୍ପ କରି ଏହି ପଦକ ହାସଲ କରିଛନ୍ତି। ସେହିଭଳି ଆଉ ଜଣେ ଆଥଲେଟ ମନିଷା ମେରେଲ 20 ବର୍ଷୀୟ ବିଭାଗରେ 5.63 ମିଟର ଲଙ୍ଗ୍ ଜମ୍ପ କରିଛନ୍ତି ।
14 ବର୍ଷୀୟ, 16 ବର୍ଷୀୟ, 18 ବର୍ଷୀୟ ଓ 20 ବର୍ଷୀୟ ବିଭାଗ ଆଥଲେଟମାନଙ୍କୁ ନେଇ 36ତମ ଜାତୀୟ ଜୁନିଅର ଆଥେଲଟିକ୍ସ ଚାମ୍ପିୟନସିପ ଆରମ୍ଭ ହୋଇଛି। ଫେବ୍ରୁଆରୀ 6 ତାରିଖରୁ ଆରମ୍ଭ ହୋଇଥିବା ଏହି ଚାମ୍ପିୟନସିପ ଫେବ୍ରୁଆରୀ 10 ତାରିଖ ଯାଏଁ ଚାଲିବ। ଏହି ଚାମ୍ପୟନସିପରେ ରାଜ୍ୟର ମୋଟ 12ଜଣ ଆଥଲେଟ ଯୋଗ ଦେଇଛନ୍ତି । ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାାପାର ବିଭାଗ ଓ ଓଡ଼ିଶା ଆଥେଲେଟିକ୍ସ ଆସୋସିଏସନର ମିଳିତ ଉଦ୍ୟମରେ ଜାତୀୟ ଜୁନିଅର ଆଥଲେଟିକ୍ସ ଚାମ୍ପିୟନସିପ ପାଇଁ ଆଥଲେଟ ଚୟନ କରାଯାଇଥିଲା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ