ଟୋକିଓ: ଚଳିତ ଟୋକିଓ ଅଲମ୍ପିକ୍ରେ ଭାରତକୁ ନିରାଶ କଲେ ବକ୍ସର ସିମ୍ରନଜିତ କୌର । ୬୦ କିଲୋଗ୍ରାମ ବର୍ଗର ବକ୍ସିଂ ପ୍ରି-କ୍ବାର୍ଟରଫାଇନାଲ ମ୍ୟାଚ୍ରେ ଥାଇଲାଣ୍ଡର ସୁଡାପୋର୍ନ ସିସୋନ୍ଦିଙ୍କ ଠାରୁ ପରାସ୍ତ ହୋଇଛନ୍ତି ସିମ୍ରନଜିତ । ଫଳରେ ଶୁକ୍ରବାର ଅଲମ୍ପିକରୁ ବାଦ ପଡିଛନ୍ତି ।
୨୬ ବର୍ଷୀୟା ଭାରତୀୟ ବକ୍ସର ଲଢୁଆ ପ୍ରଦର୍ଶନ ସତ୍ତ୍ବେ ୦-୫ରେ ପରାସ୍ତ ହୋଇଛନ୍ତି । ପ୍ରଥମ ରାଉଣ୍ଡରେ ଆକ୍ରମଣାତ୍ମକ ରଣନୀତି ସହ ପ୍ରଭାବୀ ପ୍ରଦର୍ଶନ କରିଥିଲେ ସିମ୍ରନଜିତ । ମାତ୍ର ବିଚାରକଙ୍କୁ ପ୍ରଭାବିତ କରିପାରିନଥିଲେ । ଦ୍ବିତୀୟ ରାଉଣ୍ଡରେ ଥାଇ ବକ୍ସର ପ୍ରତିଆକ୍ରମଣ କରିଥିଲେ ଓ କିଛି ଚମତ୍କାର ପଞ୍ଚ୍ ମାରିଥିଲେ, ଯାହାକି ସିମ୍ରନଜିତଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା ।
ତୃତୀୟ ରାଉଣ୍ଡରେ ସମସ୍ତ ପ୍ରୟାସ ସତ୍ତ୍ବେ ପଏଣ୍ଟ ହାସଲ କରିପାରିନଥିଲେ କିମ୍ବା ପରାଜୟ ଏଡାଇପାରିନଥିଲେ । ୨୯ ବର୍ଷୀୟା ଥାଇ ବକ୍ସର ଦୁଇଥର ବିଶ୍ବ ଚମ୍ପିଆନସିପ ପଦକ ଜିତିଛନ୍ତି ଓ ୨୦୧୮ ଏସିଆନ ଗେମ୍ସରେ ରୌପ୍ୟ ପଦକ ବିଜୟିନୀ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ