ଭୁବନେଶ୍ବର: ଲୋକସେବା ଭବନରେ ଥୋମାସ କପ୍ ବିଜୟୀ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭୩ ବର୍ଷ ପରେ ୧୪ଥର ଥୋମାସ କପ୍ ଚମ୍ପିଆନ ଇଣ୍ଡୋନେସିଆକୁ ହରାଇ ଚମ୍ପିଆନ୍ ହୋଇଥିଲା ଭାରତ । ଏଥିପାଇଁ ଆଜି(ବୁଧବାର) ପ୍ରତ୍ୟେକ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା, ମୋମେଣ୍ଟ ଓ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମୋଟ ୯ ଜଣ ଖେଳାଳିଙ୍କ ସହ ବ୍ୟାଡମିଣ୍ଡନ କୋଚ୍ ପୁଲେଲା ଗୋପିଚାନ୍ଦଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, "ଥୋମାସ କପ୍ରେ ବିଜୟୀ ହେବା ଭାରତ ପାଇଁ ଏକ ଐତିହାସିକ ଉପଲବ୍ଧି । ପୂରା ଭାରତବର୍ଷ ପାଇଁ ଏହା ଏକ ଗର୍ବର ବିଷୟ ।"
ଥୋମାସ କପ ବିଜୟୀ ଭାରତୀୟ ଦଳକୁ ସମ୍ବର୍ଦ୍ଧିତ କରିବା ନେଇ ମଙ୍ଗଳବାର ଘୋଷଣା କରିଥିଲେ ରାଜ୍ୟ ସରକାର । ଏହାପରେ ଆଜି ଅପରାହ୍ଣରେ ଭୁବନେଶ୍ବରରେ ପହଞ୍ଚିଥିଲେ ଥୋମାସ କପ୍ ଚମ୍ପିଆନ ଖେଳାଳି । ଏହାପରେ ତାଙ୍କୁ ଲୋକସେବା ଭବନରେ ସମ୍ବର୍ଦ୍ଧିତ କରାଯାଇଛି ।
ବ୍ୟାକଂକରେ ଖେଳାଯାଇଥିବା ଥୋମାସ କପ୍ରେ ଇଣ୍ଡୋନେସିଆକୁ ହରାଇ ପ୍ରଥମ ଥର ପାଇଁ କପ୍ ହାସଲ କରିଛି ଭାରତ । 14 ଥର ଚମ୍ପିଆନ ଇଣ୍ଡୋନେସିଆକୁ 3-0 ପଏଣ୍ଟରେ ମାତ୍ ଦେଇ ଇତିହାସ ରଚିଛି ଭାରତୀୟ ଟିମ୍ ।
ଇଟଭି ଭାରତ, ଭୁବନେଶ୍ୱର