ଦୁବାଇ: ଭାରତୀୟ ମହିଳା ବକ୍ସିଂ ଟିମ ରବିବାର ସନ୍ଧ୍ୟାରେ ଆଉଏକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡିବାକୁ ଯାଉଛି । ଏସିଆନ ବକ୍ସିଂ ଚମ୍ପିଆନସିପରେ 6 ଥରର ବକ୍ସିଂ ବିଶ୍ବ ଚମ୍ପିଆନ ମେରୀ କମ୍ଙ୍କ ସମେତ 4 ଭାରତୀୟ ମହିଳା ବକ୍ସର ଫାଇନାଲରେ ସ୍ବର୍ଣ୍ଣ ପଦକ ପାଇଁ ଲଢେଇ କରିବେ ।
ମୋଟ 7 ଜଣ ଭାରତୀୟ ଫାଇନାଲରେ ପ୍ରବେଶ କରିଛନ୍ତି । ସେମାନଙ୍କ ମଧ୍ୟରେ 51 କିଲୋଗ୍ରାମ ବର୍ଗରେ ମେରୀ କମ, 75 କିଲୋଗ୍ରାମ ବର୍ଗରେ ପୂଜା ରାନୀ, 81+ କିଲୋଗ୍ରାମ ବର୍ଗରେ ଅନୂପମା ଓ 64 କିଲୋଗ୍ରାମ ବର୍ଗରେ ଲାଲବୁଆଟସାହି ଫାଇନାଲ ଫାଇଟରେ ନଜର ଆସିବେ ।
ଦୁବାଇରେ ଟିମ 6ଟି ବ୍ରୋଞ୍ଜ ପଦକ ଜିତିସାରିଛି । ମାତ୍ର ସ୍ବର୍ଣ୍ଣ ପଦକ ସଂଖ୍ୟା ରବିବାର ସନ୍ଧ୍ୟା ପରେ ସ୍ପଷ୍ଟ ହେବ । ସେମିଫାଇନାଲରେ ଦମଦାର ପ୍ରଦର୍ଶନ ପରେ ଫାଇନାଲରେ ମଧ୍ୟ ବିଜୟୀ ପ୍ରଦର୍ଶନ ନେଇ ଆଶାବାଦୀ ଥିବା କହିଛନ୍ତି ଜଣେ ଜାତୀୟ ସ୍ତରୀୟ କୋଚ୍ ।
ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ବକ୍ସର ମାନେ ହେଉଛନ୍ତି, ମୋନିକା(48 କିଗ୍ରା), ସାକ୍ଷୀ ଚୌଧୁରୀ(54 କିଗ୍ରା), ଜସମିନ(57 କିଗ୍ରା), ସିମ୍ରନଜିତ କୌର(60କିଗ୍ରା), ଲଭଲିନା ବୋରଗୋହେନ(69 କିଗ୍ରା) ଓ ସ୍ବାତୀ(81 କିଗ୍ରା) ।
2019 ସଂସ୍କରଣର ପ୍ରତିଯୋଗିତାରେ ଭାରତ ଦୁଇଟି ସ୍ବର୍ଣଅଣ, 4ଟି ରୌପ୍ୟ ଓ 7ଟି ବ୍ରୋଞ୍ଜ ପଦକ ସମେତ ମୋଟ 13 ପଦକ ହାସଲ କରିଥିଲା ।
ରବିବାର ସନ୍ଧ୍ୟାରେ 38 ବର୍ଷୀୟା ମେରୀକମ, 51 କିଲୋଗ୍ରାମ ଫାଇନାଲରେ କାଜାଖସ୍ତାନର ନାୟମ କେଜାଇବେଙ୍କୁ ଭେଟିବେ । ଯିଏକି ମେରୀଙ୍କ ଠାରୁ ବୟସରେ ପ୍ରାୟ 11 ବର୍ଷ ସାନ ।
ଅନ୍ୟପଟେ ଲାଲବୁଆଟସାହି 64 କିଲୋଗ୍ରାମ ଫାଇନାଲରେ କାଜାଖସ୍ତାନର ମିଲାନା ସାଫ୍ରୋନୋଭାଙ୍କ ସହ ମୁକାବିଲା ରହିଛି । ସେହିପରି 81+ କିଲୋଗ୍ରାମ ବର୍ଗରେ ଅନୂପମା, କାଜାଖସ୍ତାନର ଲାଜତ କୁଙ୍ଗେଇବୟେଭାଙ୍କ ସହ ଲଢେଇ କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ