ଲୌଜେନ: 2021 ତୀରନ୍ଦାଜ ବିଶ୍ବକପ ସର୍କିଟ ଏବଂ 2021 ବିଶ୍ବ ଚାମ୍ପିଅନସିପ ପାଇଁ ୱାର୍ଲ୍ଡ ଆର୍ଚରୀ (World Archery) ସାମୟିକ ତାରିଖ ଘୋଷଣା କରିଛି । ସେପ୍ଟେମ୍ବର 19 ରୁ 26 ପର୍ଯ୍ୟନ୍ତ ଆମେରିକାର ୟାଙ୍କଟନଠାରେ ବିଶ୍ବ ଚାମ୍ପିଅନସିପ ଅନୁଷ୍ଠିତ ହେବାକୁ ଥିବାବେଳେ ଗୁଆଟାମେଲା ସିଟିରେ ଏପ୍ରିଲ୍ 19ରେ ବିଶ୍ବକପ ସର୍କିଟ ଆରମ୍ଭ ହେବ।
ସିରିଜର ପ୍ରଥମ ପର୍ଯ୍ୟାୟ ଏପ୍ରିଲ୍ 25 ପର୍ଯ୍ୟନ୍ତ ଚାଲିବ ଏବଂ ଏହା ପରେ ମେ 17ରୁ 23 ପର୍ଯ୍ୟନ୍ତ ସାଂଘାଇକୁ ଯିବ। ତୃତୀୟ ପର୍ଯ୍ୟାୟ ଜୁନ୍ 22 ରୁ 27 ପର୍ଯ୍ୟନ୍ତ ପ୍ୟାରିସରେ ଅନୁଷ୍ଠିତ ହେବ ଏବଂ ଫାଇନାଲ ସେପ୍ଟେମ୍ବର-ଅକ୍ଟୋବରରେ ଅନୁଷ୍ଠିତ ହେବ । ତେବେ ଫାଇନାଲ ପାଇଁ ପରବର୍ତ୍ତୀ ସମୟରେ ସ୍ଥାନ ଘୋଷଣା କରାଯିବ।
ପ୍ରାରମ୍ଭରୁ ଟୋକିଓ ପାଇଁ ଅନ୍ତିମ ଯୋଗ୍ୟତା ଟୁର୍ଣ୍ଣାମେଣ୍ଟ ଜୁନ୍ 2020 ରେ ବର୍ଲିନ ଠାରେ ଅନୁଷ୍ଠିତ ହେବାର ଥିଲା। ତେବେ ଖେଳର ଏକ ବର୍ଷ ବିଳମ୍ବ ହେତୁ ଏହାକୁ ପ୍ୟାରିସରେ ଆୟୋଜନ କରିବା ନେଇ ନିଷ୍ପତ୍ତି ହୋଇଛି । ଜୁନ୍ 18ରୁ 21 ପର୍ଯ୍ୟନ୍ତ ବିଶ୍ବକପ୍ ପର୍ଯ୍ୟାୟ ପୂର୍ବରୁ ଏହା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଭାବରେ ଅନୁଷ୍ଠିତ ହେବ ।
ଏହି ସମୟରେ, ସେପ୍ଟେମ୍ବର 19 ରୁ 26 ପର୍ଯ୍ୟନ୍ତ ଯୁବ ବିଶ୍ବ ଚାମ୍ପିଅନସିପ ଆୟୋଜନ ହେବା ନେଇ ଧାର୍ଯ୍ୟ କରାଯାଇଛି। ବିଶ୍ବ ତୀରନ୍ଦାଜ 3D ଚାମ୍ପିଅନସିପ ଯାହା ମୂଳତଃ 2021ରେ ଅନୁଷ୍ଠିତ ହେବାର ଥିଲା, ତାହା 2022କୁ ଘୁଞ୍ଚାଇ ଦିଆଯାଇଛି । ଦୁବାଇରେ ହେବାକୁ ଥିବା ପରବର୍ତ୍ତୀ ବିଶ୍ବ ତୀରନ୍ଦାଜୀ ପାରା ଚାମ୍ପିଅନସିପ ପାଇଁ ତାରିଖ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ବର୍ଷ ଆରମ୍ଭରେ କୋରୋନାଭାଇରସ ମହାମାରୀ ହେତୁ 2020 ସର୍କିଟ ବାତିଲ ହୋଇଥିଲା ।
@IANS