ଅମରାବତୀ/ନୂଆଦିଲ୍ଲୀ: ଦିଲ୍ଲୀ ସ୍ପୋର୍ଟ୍ସ ୟୁନିଭରସିଟିର ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି କର୍ଣ୍ଣମ ମାଲେଶ୍ବରୀ । ଏହା ରାଜ୍ୟର ସମସ୍ତ ଲୋକଙ୍କ ପାଇଁ ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବ ଭୂଷଣ ହରିଚନ୍ଦନ ।
ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲାମ ଜିଲ୍ଲାରେ କର୍ଣ୍ଣମ ମାଲେଶ୍ବରୀଙ୍କ ଘର । ଦିଲ୍ଲୀ ସରକାରଙ୍କ ଦ୍ବାରା ସେ ଦେଶର ପ୍ରଥମ କ୍ରୀଡା ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତ ହୋଇଛନ୍ତି ।
2000 ସିଡନୀ ଅଲମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିବାପରେ ମାଲେଶ୍ବରୀ ଭାରତରେ ଘରେଘରେ ପରିଚିତ ହୋଇଥିଲେ । କୁଳପତି ଭାବେ ନିଯୁକ୍ତ ହେବାପରେ ରାଜ୍ୟପାଳ ବିଶ୍ବ ଭୂଷଣ ହରିଚନ୍ଦନ ଶୁଭେଚ୍ଛା ଜଣାଇଛନ୍ତି ।
ଦେଶର ମହିଳାମାନଙ୍କ ପାଇଁ ମାଲେଶ୍ବରୀ ଜଣେ ପ୍ରେରଣାର ଉତ୍ସ । ଏସିଆନ ଭାରୋତ୍ତଳନ ଚମ୍ପିଆନସିପ, ବିଶ୍ବ ଚମ୍ପିଆନସିପରେ 11 ଗୋଲ୍ଡ ମେଡାଲ ସହ ମୋଟ 29ଟି ଅନ୍ତର୍ଜାତୀୟ ମେଡାଲ ଜିତିଛନ୍ତି ମାଲେଶ୍ବରୀ । ଫଳରେ ଭାରତ ସରକାର ତାଙ୍କୁ ଅର୍ଜୁନ ଆୱାର୍ଡ, ପଦ୍ମଶ୍ରୀ ଆୱାର୍ଡ ଓ ରାଜୀବ ଗାନ୍ଧି ଖେଳ ରତ୍ନ ଆୱାର୍ଡରେ ସମ୍ମାନିତ କରିଛନ୍ତି ।
ଦେଶ ପାଇଁ ମେଡାଲ ବିଜେତାଙ୍କୁ ପ୍ରସ୍ତୁତ କରିବା ଏବେ ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ମାଲେଶ୍ବରୀ ।
ମାଲେଶ୍ବରୀଙ୍କୁ ନୂଆ ଦାୟିତ୍ବ ପରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳଙ୍କ ସମେତ, ଅଭିନେତା ପବନ କଲ୍ୟାଣ, ରାଜ୍ୟସଭା ସାଂସଦ ଓ ବରିଷ୍ଠ ଯୁବଜନ ଶ୍ରମିକ ରାଇଥୁ କଂଗ୍ରେସ ପାର୍ଟି(YSRCP) ନେତା ଭି. ବିଜୟସାଇ ରେଡ୍ଡି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ