ହାଇଦ୍ରାବାଦ: ଆଜି ଦେଶ ପାଳୁଛି ପବିତ୍ର ରକ୍ଷା ବନ୍ଧନ । ସୋସିଆଲ ମିଡିଆରେ ମଧ୍ୟ ରକ୍ଷା ବନ୍ଧନର ଶୁଭେଚ୍ଛାର ସୁଅ ଛୁଟୁଛି । ଇତି ମଧ୍ୟରେ ଓଡିଶାର ଦୌଡ ରାଣୀ ଦୂତି ଚାନ୍ଦ ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଥିଲେ । ଆଉ ଯାହାର ପ୍ରତି ଉତ୍ତରରେ ପ୍ରଧାନମନ୍ତ୍ରୀ ମୋଦି ଦୂତିଙ୍କୁ ଆର୍ଶୀବାଦ ଦେଇଛନ୍ତି ।
ଆଜି ଅପରାହ୍ନରେ ଦୂତି ଟ୍ବିଟ କରି ଲେଖିଛନ୍ତି, ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କୁ ରକ୍ଷା ବନ୍ଧନର ଅନେକ ଅନେକ ଶୁଭେଚ୍ଛା । ଆପଣ ଆମ ଦେଶର ଜଣେ ପ୍ରକୃତ ଯୋଦ୍ଧା । ଆସନ୍ତା ବର୍ଷ ଆମେ ମଧ୍ୟ ଦେଶ ପାଇଁ ପୁରସ୍କାର ଜିତିବାକୁ ଚେଷ୍ଟା କରିବୁ | ଏହି ଘଡିସନ୍ଦି ମୁହୁର୍ତ୍ତରେ ଆମକୁ ଲଢେଇ କରିବା ପାଇଁ ଆପଣଙ୍କ ନେତୃତ୍ବ ଆବଶ୍ୟକ ରହିଛି ।’’
ତେବେ କିଛି ସମୟ ପରେ ଦୂତିଙ୍କ ଟ୍ବିଟର ପ୍ରତି ଉତ୍ତର ରଖିଛନ୍ତି ମୋଦି । ମୋଦି ଦୂତିଙ୍କ ଟ୍ବିଟକୁ ରିଟ୍ବିଟ କରି ଲେଖିଛନ୍ତି, ‘‘ତୁମ ଶୁଭେଚ୍ଛା ପାଇଁ ଧନ୍ୟବାଦ | କ୍ରୀଡ଼ାରେ ତୁମର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତୁମକୁ ଶୁଭେଚ୍ଛା । ମୋ ପାଇଁ ସବୁଠାରୁ ବଡ ପୁରସ୍କାର ହେଉଛି ପରିଶ୍ରମ ଏବଂ ଦୃଢତା ସହିତ ରାଷ୍ଟ୍ରର ପ୍ରତିନିଧିତ୍ବ କରିବା । ପ୍ରତ୍ୟେକ କ୍ରୀଡ଼ାବିତ୍ ତାହା କରନ୍ତି, ଯେଉଁଥି ପାଇଁ ମୁଁ ଭାରତର ପ୍ରତିନିଧିତ୍ୱ କରୁଥିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଗର୍ବିତ |’’