ଲଣ୍ଡନ: ୟୁକେ ଆଥଲେଟିକ୍ସର ନୂତନ ଚେୟାରମ୍ୟାନ୍ ନିକ୍ କୋୱାର୍ଡ ଟୋକିଓ ଅଲିମ୍ପିକ୍ସକୁ କରୋନା ଭାଇରସ୍ ଆକ୍ରାନ୍ତ ହେତୁ ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି । ସେ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ବର୍ତ୍ତମାନ ସାରା ବିଶ୍ବରେ କୋରୋନା ଭାଇରସ୍ର ପ୍ରଭାବ ଜାରି ରହିଛି । ବିଭିନ୍ନ କ୍ରୀଡା ଇଭେଣ୍ଟ ଗୁଡିକ ବାତିଲ କରାଯାଉଛି । ତେଣୁ ସ୍ଥିତରେ ସୁଧାର ନ ଆସିଲେ ଅଲମ୍ପିକ୍କୁ ମଧ୍ୟ ବାତିଲ କରାଯିବା ଉଚିତ୍ ।
ତେବେ ପ୍ରମୁଖ ଯୋଗ୍ୟତା ଇଭେଣ୍ଟ ବାତିଲ ହେଉଥିବାରୁ ଆଥଲେଟଙ୍କ ମନୋବଳ ମଧ୍ୟ ଦୁର୍ବଳ ହୋଇଯାଉଛି । ସୂଚନାଯୋଗ୍ୟ ଯେ, ଆସନ୍ତା ଜୁଲାଇ 24ରୁ ଅଗଷ୍ଟ 9 ପର୍ଯ୍ୟନ୍ତ ଜାପାନର ଟୋକିଓରେ ଏହି କ୍ରୀଡା ମହାକୁମ୍ଭ ଆୟୋଜନ ହେବାର ଯୋଜନା ରହିଛି । ସେହିପରି ଶୁକ୍ରବାର ଜାପାନ ଅଲିମ୍ପିକ୍ କମିଟିର ଜଣେ ସଦସ୍ୟ ଟୋକିଓ ଅଲିମ୍ପିକ୍ ଗେମ୍ସକୁ ସ୍ଥଗିତ ରଖିବାକୁ ମଧ୍ୟ କହିଥିଲେ । ଅବସରପ୍ରାପ୍ତ ଜୁଡୋ ଆଥଲେଟ୍ କୌରୀ ୟାମାଗୁଚି କହିଛନ୍ତି, ଜୁଲାଇ 24ରୁ ଆରମ୍ଭ ହେବାକୁ ଥିବା ଅଲିମ୍ପିକ୍ ଗେମ୍ସ ପାଇଁ ଆଥଲେଟମାନେ ପର୍ଯ୍ୟାପ୍ତ ପରିମାଣରେ ପ୍ରସ୍ତୁତ ହୋଇପାରିବେ ନାହିଁ । ସେହିପରି ବିଶ୍ୱ ଆଥଲେଟିକ୍ସ ମୁଖ୍ୟ ସେବାଷ୍ଟିଆନ୍ କୋ କହିଛନ୍ତି ଯେ ଆବଶ୍ୟକ ହେଲେ 2020 ଅଲିମ୍ପିକ୍ସକୁ ସ୍ଥଗିତ ରଖିବା ସମ୍ଭବ ।
ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ସଭାପତି ଥୋମାସ୍ ବାଚ୍ ନ୍ୟୁୟର୍କ ଟାଇମ୍ସକୁ କହିଛନ୍ତି, ଟୋକିଓ 2020 ପାଇଁ ଏବେ ଗୋଟେ ଭିନ୍ନ ପରିସ୍ଥିତି ଦେଖିବାକୁ ମିଲୁଛି । ଯାହା କି ପ୍ରଥମଥର ।