ଭୁବନେଶ୍ବର: ଉଦଯାପିତ ହୋଇଛି ଜାତୀୟ ଜୁନିଅର ଆଥଲେଟିକ୍ସ ଚାମ୍ପିୟନସିପ 2021। ଏହି ଚାମ୍ପିୟନସିପରେ ଓଡ଼ିଶା ଆଥଲେଟ ଭଲ ପ୍ରଦର୍ଶନ କରିଛନ୍ତି। ଏହି ଚାମ୍ପିୟନସିପରେ ଓଡ଼ିଶା 7ଟି ପଦକ ହାସଲ କରିଛି। ସେଥି ମଧ୍ୟରେ ଗୋଟିଏ ସ୍ବର୍ଣ୍ଣପଦକ ରହିଥିବା ବେଳେ ଦୁଇଟି ରୌପ୍ୟ ଓ 4ଟି ବ୍ରୋଞ୍ଜ ପଦକ ରହିଛି। ଶେଷ ଦିନରେ 20 ବର୍ଷୀୟ ବିଭାଗର 200 ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ମଧୁମିତା ଦେବ।
![odisha won seven medals in national junior Athlete championship 2021](https://etvbharatimages.akamaized.net/etvbharat/prod-images/10576754_jkg.jpg)
ଏହାପୂର୍ବରୁ 80 ମଟିର ହର୍ଡଲ ଦୌଡ଼ରେ ସବିତା ଟପ୍ପୋ ରୌପ୍ୟ ପଦକ ହାସଲ କରିଥିଲେ। ସେହିଭଳି 80 ମିଟର ହର୍ଡଲ ଦୌଡ଼ରେ ରାଜେନ୍ଦ୍ର ସିନ୍ଧୁ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ପ୍ରାଚୀ ମହାରଣା ବଲ ଥ୍ରୋ'ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସଟପୁଟ ଥ୍ରୋ'ରେ ଓମକାର ନନ୍ଦ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସେହିଭଳି ଫେବ୍ରୁଆରୀ 6 ତାରିଖରେ ସବିତା 16 ବର୍ଷୀୟ ବିଭାଗର ଲଙ୍ଗ୍ ଜମ୍ପରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଆଉ ଜଣେ ଆଥଲେଟ ମନିଷା ମେରେଲ 20 ବର୍ଷୀୟ ବିଭାଗରେ 5.63 ମିଟର ଲଙ୍ଗ୍ ଜମ୍ପ କରି ରୌପ୍ୟ ପଦକ ହାସଲ କରିଛନ୍ତି ।
![odisha won seven medals in national junior Athlete championship 2021](https://etvbharatimages.akamaized.net/etvbharat/prod-images/10576754_kjf.jpg)
14 ବର୍ଷୀୟ, 16 ବର୍ଷୀୟ, 18 ବର୍ଷୀୟ ଓ 20 ବର୍ଷୀୟ ବିଭାଗ ଆଥଲେଟମାନଙ୍କୁ ନେଇ 36ତମ ଜାତୀୟ ଜୁନିଅର ଆଥେଲଟିକ୍ସ ଚାମ୍ପିୟନସିପ ଆରମ୍ଭ ହୋଇଥିଲା। ଏହି ଚାମ୍ପିୟନସିପ ଫେବ୍ରୁଆରୀ 6 ତାରିଖରୁ ଆରମ୍ଭ ହୋଇ ଫେବ୍ରୁଆରୀ 10 ତାରିଖ ଯାଏଁ ଚାଲିଥିଲା। ଏହି ଚାମ୍ପୟନସିପରେ ରାଜ୍ୟର ମୋଟ 12ଜଣ ଆଥଲେଟ ଯୋଗ ଦେଇଥିଲେ । ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାାପାର ବିଭାଗ ଓ ଓଡ଼ିଶା ଆଥେଲେଟିକ୍ସ ଆସୋସିଏସନର ମିଳିତ ଉଦ୍ୟମରେ ଜାତୀୟ ଜୁନିଅର ଆଥଲେଟିକ୍ସ ଚାମ୍ପିୟନସିପ ପାଇଁ ଆଥଲେଟ ଚୟନ କରାଯାଇଥିଲା। ଆସାମର ଗୌହାଟିରେ 36ତମ ଜାତୀୟ ଜୁନିଅର ଆଥଲେଟିକ୍ସ ଚାମ୍ପିୟନସିପ ଶେଷ ହୋଇଛି। କୋଭିଡ କଟକଣା ୟୋଗୁଁ ଆଥଲେଟଙ୍କୁ ଅଭ୍ୟାସ ପାଇଁ ସୁଯୋଗ ମିଳିନଥିଲା। ଏହାସତ୍ତ୍ବେ ଓଡ଼ିଶା ଆଥଲେଟ ଭଲ ପ୍ରଦର୍ଶନ କରିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ