ଭୁବନେଶ୍ବର: ଭାରତୀୟ ଷ୍ଟାର ପାରା-ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ସୁପାରିଶ କରିଛି ଓଡ଼ିଶା ପାରା ସ୍ପୋର୍ଟ୍ସ ଆସୋସିଏସନ । ପୂର୍ବରୁ ବରଗଡ ଜିଲ୍ଲା ଅତାବିରାର ଓଡିଆ ପୁଅ ପ୍ରମୋଦଙ୍କୁ 2019 ରେ ଭାରତ ସରକାର ଅର୍ଜୁନ ଆୱାର୍ଡରେ ସମ୍ମାନିତ କରିଛନ୍ତି ।
ସେହିପରି ଭାରତୀୟ ମହିଳା ହକି ଟିମର ଭେଟେରାନ ଡିଫେଣ୍ଡର ତଥା ଓଡିଆ ଝିଅ ଦୀପଗ୍ରେସ ଏକ୍କାଙ୍କୁ ଅର୍ଜୁନ ଆୱାର୍ଡ ପାଇଁ ସୁପାରିଶ କରିଛି ଓଡିଶା ସରକାରଙ୍କ କ୍ରୀଡା ବିଭାଗ । ଦୀପଗ୍ରେସଙ୍କୁ ନିକଟରେ ହକି ଇଣ୍ଡିଆ ପକ୍ଷରୁ ଆଗାମୀ ଟୋକିଓ ଅଲମ୍ପିକ୍ସରେ ଭାରତୀୟ ମହିଳା ହକି ଟିମର ଉପଅଧିନାୟିକା ଚୟନ କରାଯାଇଛି ।
ଗତ 4 ବର୍ଷ ମଧ୍ୟରେ 36ଟି ଅନ୍ତର୍ଜାତୀୟ ପଦକ ଜିତିଛନ୍ତି ପ୍ରମୋଦ । ଯେଉଁଥିରେ ୱାର୍ଲଡ ଚମ୍ପିଆନସିପରେ ଦୁଇଟି ସ୍ବର୍ଣ୍ଣ ଏବଂ ଏସିଆନ ପାରା ଗେମ୍ସରେ ଗୋଟିଏ ସ୍ବର୍ଣ୍ଣ ପଦକ ସାମିଲ ରହିଛି ।
ଆଗାମୀ ଟୋକିଓ ପାରା-ଅଲମ୍ପିକରେ ମଧ୍ୟ ଅଂଶଗ୍ରହଣ କରୁଛନ୍ତି ପ୍ରମୋଦ ଏବଂ ଏହି ମେଗା ଇଭେଣ୍ଟରେ ପଦକ ଜିତିବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି । ବିଶ୍ବ ପାରା-ବ୍ୟାଡମିଣ୍ଟନ ମାନ୍ୟତାର ନମ୍ବର ସ୍ଥାନରେ ମଧ୍ୟ ରହିଛନ୍ତି ଓଡିଆ ପୁଅ ପ୍ରମୋଦ ।
ପୂର୍ବରୁ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଜାତୀୟ କ୍ରୀଡା ପୁରସ୍କାର 2021 ପାଇଁ ଆବେଦନର ଶେଷ ତାରିଖ ଘୁଞ୍ଚାଇଥିଲା । ପୂର୍ବରୁ ଜୁନ 21 ପର୍ଯ୍ୟନ୍ତ ଆବେଦନ ସମୟସୀମା ରହିଥିଲା । କ୍ରୀଡା ପୁରସ୍କାର ପାଇଁ ଯୋଗ୍ୟ କ୍ରୀଡାବିତ, କୋଚ୍, ସଂସ୍ଥା ଓ ବିଶ୍ବବିଦ୍ୟାଳୟର ନାମ ଇମେଲ ଯୋଗେ ଆଦେବନ କରିପାରିବେ । ଏନେଇ ମନ୍ତ୍ରଣାଳୟ ପୂର୍ବରୁ ସ୍ପଷ୍ଟ କରିଥିଲା ।
ମନିକା ବାତ୍ରା, ରୋହିତ ଶର୍ମା, ଭିନେଶ ଫୋଗଟ, ରାନୀ ରାମପାଲ ଓ ମାରିୟାପ୍ପନ ଫାଙ୍ଗାଭେଲୁଙ୍କୁ ଗତ ବର୍ଷ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ପ୍ରଥମ ଥର ପାଇଁ ଗୋଟିଏ ବର୍ଷରେ 5 ଜଣ କ୍ରୀଡାବିତ୍ଙ୍କୁ ଏହି ପୁରସ୍କାର ମିଳିଥିଲା ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ