ଭୁବନେଶ୍ବର: ୧୭ ବର୍ଷରୁ କମ(U-17) FIFA ମହିଳା ବିଶ୍ବକପ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଏହି ସମ୍ମାନଜନକ ଫୁଟବଲ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଆୟୋଜକ ଭାରତ ରହିଥିବାବେଳେ, ଆଜି ମହିଳା ବିଶ୍ବକପର ଲୋଗୋ ଲଞ୍ଚ(FIFA U-17 Women's World Cup) ହୋଇଛି । ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM naveen patnaik unveils logo ) ଏହି ଲୋଗୋକୁ ଲଞ୍ଚ୍ କରିଛନ୍ତି ।
ଏହାସହ ସ୍କୁଲ ଫୁଟବଲ କାର୍ନିଭାଲରକୁ ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳା ବିଶ୍ବକପର ଏହା ହେଉଛି ସପ୍ତମ ସଂସ୍କରଣ । ଚଳିତ ବିଶ୍ବକପର ଆୟୋଜକ ରହିଛି ଭାରତ(ଭାରତୀୟ ଫୁଟବଲ ମହାସଂଘ) । ମୋଟ ୧୬ଟି ଦେଶ ଏହି ମେଗା ବିଶ୍ବକପରେ ଅଂଶଗ୍ରହଣ କରିବେ । ଭାରତ, ଜାପାନ, ସ୍ପେନ, ଜର୍ମାନୀ, ମେକ୍ସିକୋ, କାନାଡ଼ା, ବ୍ରାଜିଲ, ନ୍ୟୁଜିଲାଣ୍ଡ, ୟୁଏସଏ, ନାଇଜେରିଆ, ଫ୍ରାନ୍ସ, ଚାଇନା, କଲମ୍ବିଆ, ଚିଲି, ମାର୍କୋ, ତାଞ୍ଜାନିଆ ଭଳିଦେଶର ଖେଳାଳିଙ୍କ ମଧ୍ୟରେ ହେବ ମହାଲଢେଇ ।
ଅକ୍ଟୋବର ୧୧ ତାରିଖରୁ ଆରମ୍ଭ ହେବ ଏହି ବହୁ ପ୍ରତୀକ୍ଷିତ ମହିଳା ବିଶ୍ବକପ । ଭୁବନେଶ୍ବରରେ ଅନୁଷ୍ଠିତ ହେବ ଟୁର୍ଣ୍ଣାମେଣ୍ଟର ତିନୋଟି ମ୍ୟାଚ୍ । ଆୟୋଜକ ଦେଶ ହେଇଥିବାରୁ ଘରୋଇ ଦର୍ଶକଙ୍କ ଉପସ୍ଥିତିରେ ଭାରତୀୟ ମହିଳା ଟିମ ପାଖରେ ଭଲ ପ୍ରଦର୍ଶନ ସହ ଟ୍ରଫି ବିଜୟୀ ହେବାର ସମସ୍ତ ସୁଯୋଗ ରହିଛି ।
ଓଡିଶା ସରକାର ଓ କ୍ରୀଡା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି FIFA ମହିଳା ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଆୟୋଜକ କମିଟିର ଅଧିକାରୀ । ଏଥିସହ ହକି ଭଳି ଫୁଟବଲକୁ ମଧ୍ୟ ଭଲପାଇବା ଓଡିଶାବାସୀ ଦେବେ ବୋଲି ସେ ଆଶାବାଦୀ ଥିବା କହିଛନ୍ତି । ଅନ୍ୟପଟେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, "ଓଡିଶା ଆଉ ଏକ ମେଗା ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁିଥିବାରୁ ଏହା ଗର୍ବର ବିଷୟ । କ୍ରୀଡା ଓ କ୍ରୀଡାବିତ୍ଙ୍କୁ ପ୍ରୋତ୍ସାହନରେ ଓଡିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ ହୋଇଛି । ରାଜ୍ୟକୁ ଅନ୍ୟ ସମସ୍ତ କ୍ଷେତ୍ର ପରି କ୍ରୀଡାକ୍ଷେତ୍ରରେ ମଧ୍ୟ ଭଲ ପ୍ରଦର୍ଶନ ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା ରହିଆସିଛି ।"
ପୂର୍ବରୁ ଓଡିଶା ସରକାରଙ୍କ ପାଖରେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ସଫଳ ଅଭିଜ୍ଞତା ରହିଛି । ମହିଳା ଫୁଟବଲ ବିଶ୍ବକପ ମ୍ୟାଚ୍ ମଧ୍ୟ ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି । ବିଶେଷ କରି ଭାରତୀୟ ଟିମ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍ ଖେଳିବାକୁ ଥିବାରୁ ଷ୍ଟାଡିୟମରେ ପୂର୍ଣ୍ଣ ଦର୍ଶକ ଉପସ୍ଥିତି ପାଇଁ ପ୍ରସ୍ତୁତି ଚଳାଇଛନ୍ତି ସରକାର । ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି ନେଇ ମଧ୍ୟ ନିଷ୍ପତି ହୋଇଛି । ଏହି ବିଶ୍ବକପ ଭାରତୀୟ ମହିଳା ଫୁଟବଲ ପ୍ରତିଭାଙ୍କ ପାଇଁ ବଡ ସୁଯୋଗ ହେବାକୁ ଯାଉଛି ।