ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା(Commonwealth Games 2022) ଆରମ୍ଭ ହେବାର ଗୋଟଏ ଦିନ ପୂର୍ବରୁ ଭାରତକୁ ଝଟକା ଲାଗିଛି । କମନୱେଲଥ ଗେମ୍ସ ଖେଳିବେନି ଟୋକିଓ ଅଲମ୍ପିକ୍ସ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା । ଆହତ ପାଇଁ ମନୱେଲଥ ଗେମ୍ସରୁ ବାଦ ପଡିଛନ୍ତି ନୀରଜ । ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍ସସିପରେ ନୀରଜ ଚୋପ୍ରା ଆହତ ହୋଇଥିଲେ । ଦେଶକୁ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍ସସିପରେ ଐତିହାସିକ ରୌପ୍ୟ ପଦକ ଭେଟି ଦେଇଥିବା ନୀରଜ ।
ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପର ଫାଇନାଲ ଖେଳୁଥିବା ବେଳେ ନୀରଜ ଚୋପ୍ରା ଆହତ ହୋଇଥିଲେ। ତଥାପି ସେ ରୌପ୍ୟ ପଦକ ଜିତିଥିଲେ । ଟୁର୍ଣ୍ଣାମେଣ୍ଟ ପରେ ତାଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ହୋଇଥିଲା। ଏହି ସମୟରେ ତାଙ୍କ ଆହତ ସମସ୍ୟା ଜଟିଳ ଥିବା ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ସେ ବର୍ମିଂହାମରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବେ ନାହିଁ ବୋଲି ସୂଚନା ଦେଇଛନ୍ତି ଭାରତୀୟ ଅଲିମ୍ପିକ୍ସ ଆସୋସିଏସନର ସାଧାରଣ ସମ୍ପାଦକ ରାଜୀବ ମେହେଟା।
ସେ କହିଛନ୍ତି, ''ନୀରଜ ଚୋପ୍ରା ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବେ ନାହିଁ । ସେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପ ଫାଇନାଲରେ ଆହତ ହୋଇଥିଲେ । ଏବେ ସେ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଆଦୌ ଫିଟ ନାହାନ୍ତି । ସେ ନିଜେ ଏ ସମ୍ପର୍କରେ ଅବଗତ କରାଇଛନ୍ତି । ବିଶ୍ୱ ଚାମ୍ପିୟନସିପରେ ନୀରଜ ୮୮.୧୩ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ରୌପ୍ୟ ପଦକ ଜିତିଥିଲେ । ଚାମ୍ପିୟନସିପର ଫାଇନାଲ ଲଢ଼େର ୪ର୍ଥ ପ୍ରାୟସରେ ହିଁ ସେ ୮୮.୧୩ ମିଟର ଦୂରକୁ ଜାଭେଲିନ ଫିଙ୍ଗିଥିଲେ । ଏହି ସମୟରେ ହିଁ ତାଙ୍କ ଜଙ୍ଘରେ ସମସ୍ୟା ସୃଷ୍ଟି ହୋଇଥିଲା ।" ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ନୀରଜ ରାଜ୍ୟଗୋଷ୍ଠୀ କ୍ରୀଡା ନ ଖେଳିବା ଭାରତ ପାଇଁ ଗୋଟିଏ ପଦକ ହାତଛଡା ହେଲା ବୋଲି ଚର୍ଚ୍ଚା ହେଉଛି ।