ନୂଆଦିଲ୍ଲୀ: ଅକ୍ଟୋବର 10ରୁ ଆରମ୍ଭ ହେବ ଜାତୀୟ ମହିଳା କୁସ୍ତି ଶିବିର । ଲକ୍ଷ୍ନୌ ଭାରତୀୟ ଖେଳ ପ୍ରାଧୀକରଣ(ସାଇ) କେନ୍ଦ୍ରରେ ଏହି ଶିବିର ଆରମ୍ଭ ହେବ । ଏନେଇ ମଙ୍ଗଳବାର ଭାରତୀୟ କୁସ୍ତି ମହାସଂଘ(WFI) ପକ୍ଷରୁ ସୂଚନା ମିଳିଛି ।
ଏଥିସହିତ କୁସ୍ତି ମହାସଂଘ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି । ଯେଉଁ ଖେଳାଳି ଅନୁଷ୍ଠିତ ହେବାକୁ ଥିବା କୁସ୍ତି ଶିବିରରେ ଭାଗ ନେବେନାହିଁ, ସେମାନଙ୍କ ନାମ ଜାତୀୟ ଟିମରେ ଚୟନ ପାଇଁ ବିଚାର କରାଯିବ ନାହିଁ ।
ଜାତୀୟ ଶିବିର ସେପ୍ଟେମ୍ବର ପହିଲାରୁ ପୂର୍ବରୁ ଆରମ୍ଭ ହେବା ନେଇ ଧାର୍ଯ୍ୟ ହୋଇଥିଲା । ମାତ୍ର କୋରୋନା ଭାଇରସ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥଗିତ ରଖାଯାଇଥିଲା । ଅଲମ୍ପିକ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା 4 କୁସ୍ତିଯୋଦ୍ଧାଙ୍କ ମଧ୍ୟୁ ଦୁଇଜଣ ବିନେଶ ଫୋଗଟ, ଦିପକ ପୁନିଆ କୋରୋନା ସଂକ୍ରମିତ ହେବାପରେ ସ୍ଥିତି ଆହୁରି ଖରାପ ହୋଇଥିଲା । ଫଳରେ ଏକାଧିକ ଖେଳାଳି ଭୟଭୀତ ହୋଇଥିଲେ ।
ତେବେ ବର୍ତ୍ତମାନର ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବାରୁ, ଭାରତୀୟ ଖେଳ ପ୍ରାଧୀକରଣ, କୁସ୍ତି ସଂଘ ସହ ଆଲୋଚନା ପରେ 6ଟି ଅଲମ୍ପିକ ଓଜନ ବର୍ଗରେ ଜାତୀୟ ଶିବିର ଆରମ୍ଭ କରିବା ନେଇ ଘୋଷଣା କରିଛି । ଏହା ମଧ୍ୟରେ 50 କିଲୋଗ୍ରାମ, 57 କିଲୋଗ୍ରାମ, 62 କିଲୋଗ୍ରାମ, 68 କିଲୋଗ୍ରାମ, 68 କିଲୋଗ୍ରାମ ଓ 76 କିଲୋଗ୍ରାମ ବର୍ଗ ସାମିଲ ରହିଛି । ଏହି ଶିବିର ଡିସେମ୍ବର 31 ପର୍ଯ୍ୟନ୍ତ ଚାଲିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ