ବର୍ମିଂହାମ: ଚଳିତ ଅଲ ଇଂଲଣ୍ଡ ବ୍ୟାଡ୍ମିଣ୍ଟନ ଚାମ୍ପିୟନସିପରେ ଭାରତୀୟ ଯୁବ ସର୍ଟଲର ଲକ୍ଷ ସେନ ଚମତ୍କାର ପ୍ରଦର୍ଶନ କରିଛନ୍ତି। ୨୦ ବର୍ଷୀୟ ଲକ୍ଷ ସେନ ସେମିଫାଇନାଲରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛନ୍ତି । ସେମି ସମରରେ ମାଲେସିଆର ଲି ଜି ଜିଆଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି । ରୌପ୍ୟ ପଦକ ପକ୍କା କରିଛନ୍ତି ଲକ୍ଷ । ତୃତୀୟ ଭାରତୀୟ ଭାବେ ସେ ଫାଇନାଲରେ ପ୍ରବେଶ କରିଛନ୍ତି ।
ସମ୍ମାନଜନକ ଇଭେଣ୍ଟର ଫାଇନାଲରେ ପ୍ରବେଶ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ଲକ୍ଷ । ମାଲେସିଆର ଲି ଜି ଜିଆଙ୍କୁ 21-13, 12-21, 21-19ରେ ପରାସ୍ତ କରିଛନ୍ତି । ଫାଇନାଲରେ ଟୋକିଓ ଅଲମ୍ପିକ୍ସରେ ମେଡାଲ ବିଜେତା ଭିକ୍ଟର ଆକ୍ସେଲସେନଙ୍କୁ ଭେଟିବେ ଲକ୍ଷ । ପୂର୍ବରୁ ୧୯୮୦ରେ ପ୍ରକାଶ ପାଦୁକୋନ, ୨୦୦୧ରେ ପୁଲେଲା ଗୋପିଚାନ୍ଦ ଫାଇନାଲ ଖେଳିଥିଲେ । ୨୦୧୫ରେ ମହିଳା ବିଭାଗରେ ସାଇନା ନେହେୱାଲ ଫାଇନାଲ ଖେଳିଥିଲେ ।
କ୍ବାର୍ଟର-ଫାଇନାଲରେ ବିଜୟୀ ହେବାସହ ସମ୍ମାନଜନକ ଇଭେଣ୍ଟର ସେମିଫାଇନାଲରେ ପ୍ରବେଶ କରିଥିଲେ ଲକ୍ଷ । ୱାର୍ଲ୍ଡ ଚାମ୍ପିୟନସିପ୍ରେ ବ୍ରୋଞ୍ଜ ଓ ଚଳିତ ବର୍ଷ ଇଣ୍ଡିଆ ଓପନର ବିଜେତା ରହିସାରିଥିବା ଲକ୍ଷ ସେନ ଅଲ ଇଂଲଣ୍ଡ ବ୍ୟାଡ୍ମିଣ୍ଟନ ସେମିଫାଇନାଲରେ ପ୍ରବେଶ କରି ନୂଆ ଉପଲବ୍ଧି ହାସଲ କରିଥିଲେ । ପିଠିରେ ଯନ୍ତ୍ରଣା ଯୋଗୁଁ କ୍ବାର୍ଟର-ଫାଇନାଲ ମୁକାବିଲାରୁ ଲକ୍ଷଙ୍କ ପ୍ରତିନଦ୍ବନ୍ଦ୍ବୀ ଓହରିଯିବା ପରେ ସେ ବିଜେତା ଘୋଷିତ ହୋଇଥିଲେ ।