ହାଇଦ୍ରାବାଦ: ହକି ବିଶ୍ବକପ ୨୦୨୩ରେ ଜାରି ରହିଛି ରୋମାଞ୍ଚ । ଶୁକ୍ରବାର ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଚଳିତ ବିଶ୍ବକପର ଲିଗ୍ ପର୍ଯ୍ୟାୟ ଖେଳ ଶେଷ ହୋଇଛି । ଏହାପରେ ଆସନ୍ତାକାଲି (ରବିବାର) ଠାରୁ ଆରମ୍ଭ ହେବ କ୍ରସଓଭର ମୁକାବିଲା । ତେବେ ହକି ବିଶ୍ବକପ ୨୦୨୩ରେ ଏବେ ପର୍ଯ୍ୟନ୍ତ ମୋଟ ୨୪ ମ୍ୟାଚ୍ ଖେଳ ସରିଛି । ଏଥିରେ ସମସ୍ତ ଟିମ୍ ମୋଟ ୧୩୦ଟି ଗୋଲ ସ୍କୋର କରିଛନ୍ତି ।
ହକି ବିଶ୍ବକପ ୨୦୨୩ର ଗୋଲ୍ ରେକର୍ଡ:- ବିଶ୍ବକପ ୨୦୨୩ରେ ଭାଗ ନେଇଥିବା ଟିମ ଗୁଡ଼ିକ ଦମଦାର ପ୍ରଦର୍ଶନ ସହିତ ଲଗାତାର ଗୋଲ ସ୍କୋର କରୁଛନ୍ତି । ତେବେ ବିଶ୍ବକପରେ ଏବେ ପର୍ଯ୍ୟନ୍ତ ଖେଳ ସରିଥିବା ଲିଗ୍ ପର୍ଯ୍ୟାୟରେ ମୋଟ ୧୩୦ଟି ଗୋଲ ସ୍କୋର ହୋଇଛି । ଏହା ମଧ୍ୟରେ ୮୦ଟି ଫିଲ୍ଡ ଗୋଲ ସାମିଲ ରହିଛି । ୪୩ଟି ପେନାଲ୍ଟି କର୍ଣ୍ଣର ଗୋଲ ସ୍କୋର ହୋଇଥିବା ବେଳେ ୭ଟି ପେନାଲ୍ଟି ଷ୍ଟ୍ରୋକ୍ସରୁ ୭ଟି ଗୋଲ ସ୍କୋର ହୋଇଛି । ଚଳିତ ବିଶ୍ବକପରେ ନେଦରଲାଣ୍ଡ ହକି ଦଳ ସବୁଠାରୁ ଅଧିକ ଗୋଲ ସ୍କୋର କରିଛି । ନେଦରଲାଣ୍ଡ ମୋଟ ୨୨ଟି ଗୋଲ କରିଛି । ଫ୍ରାନ୍ସର ଚାର୍ଲୋଟ ଭିକ୍ଟର ୬ଟି ଗୋଲ କରି ବ୍ୟକ୍ତିଗତ ଗୋଲ ସ୍କୋରର ତାଲିକାର ଶୀର୍ଷରେ ରହିଛନ୍ତି । ନେଦରଲାଣ୍ଡ ଓ ଚିଲି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ସବୁଠାରୁ ଅଧିକ ଗୋଲ ସ୍କୋର ହୋଇଥିଲା । ଏହି ମ୍ୟାଚ୍ରେ ନେଦରଲାଣ୍ଡ ୧୪ ଗୋଲ କରି ଚଳିତ ବର୍ଷ ବିଶ୍ବକପରେ ସବୁଠାରୁ ଅଧିକ ମାର୍ଜିନରେ ବିଜୟୀ ହେବାର ରେକର୍ଡ କରିଛି ।
ବିଶ୍ବକପ ଇତିହାସରେ ସବୁଠାରୁ ଅଧିକ ଗୋଲ କରିଛି ପାକିସ୍ତାନ:- ହକି ବିଶ୍ବକପରେ ଏବେ ପର୍ଯ୍ୟନ୍ତ ସମୁଦାୟ ୨୬ଟି ଦଳ ଭାଗ ନେଇଥିବାବେଳେ ସେମାନଙ୍କ ମଧ୍ୟରେ ମୋଟ ୬୦୫ଟି ମ୍ୟାଚ୍ ଖେଳାଯାଇଛି । ତେବେ ବିଶ୍ବକପର ସମସ୍ତ ୧୪ ସଂସ୍କରଣରେ ଏବେ ଯାଏଁ ମୋଟ ୨୪୩୩ଟି ଗୋଲ ହୋଇଛି । ହାରାହାରି ଦେଖିବାକୁ ଗଲେ ବିଶ୍ବକପରେ ପ୍ରତି ମ୍ୟାଚ୍ ପିଛା ୪ଟି ଲେଖାଏଁ ଗୋଲ ହୋଇଛି । ୧୯୭୧ ମସିହାରେ ବିଶ୍ବକପର ପ୍ରଥମ ସଂସ୍କରଣର ଆୟୋଜନ ହୋଇଥିଲା । ଏଥିରେ ପାକିସ୍ତାନ ବିଶ୍ବ ବିଜେତା ବନିଥିଲା । ବିଶ୍ବକପର ଗୋଟିଏ ସଂସ୍କରଣରେ ସବୁଠାରୁ ଅଧିକ ଗୋଲ ସ୍କୋର କରିବାର ରେକର୍ଡ ଏବେ ପାକିସ୍ତାନ ନାମରେ ରହିଛି । ୧୯୮୨ ମସିହାରେ ଭାରତରେ ଆୟୋଜିତ ବିଶ୍ବକପରେ ପାକିସ୍ତାନୀ ଦଳ ମୋଟ ୩୮ ଗୋଲ ସ୍କୋର କରିଥିଲା ।
ଦ୍ବିତୀୟ ଟାଇଟଲ ହାତେଇବ ଭାରତ ! :- ହକି ବିଶ୍ବକପ ଇତିହାସରେ ଶ୍ରେଷ୍ଠ ଦଳ ଭାବେ ପାକିସ୍ତାନ ସବୁଠାରୁ ଅଧିକ ୪ ଥର ବିଶ୍ବ ବିଜେତା ବନିଛି । ଯଥାକ୍ରମେ ୧୯୭୧, ୧୯୭୮, ୧୯୮୧ ଓ ୧୯୯୪ ମସିହାରେ ବିଶ୍ବକପ ଚାମ୍ପିୟନ ବନିଥିଲା ପାକିସ୍ତାନ । ତେବେ ୧୯୯୪ ପରଠାରୁ ଆଜି ପର୍ଯ୍ୟନ୍ତ ସେମିଫାଇନାଲରେ ମଧ୍ୟ ପହଞ୍ଚି ପାରିନାହିଁ ପାକିସ୍ତାନ । ଏହା ବ୍ୟତୀତ ନେଦରଲାଣ୍ଡ ୧୯୭୩, ୧୯୯୦ ଓ ୧୯୯୮ରେ ଟ୍ରଫି ଜିତି ୩ ଥର ଚାମ୍ପିୟନ ହୋଇଥିବାବେଳେ ଅଷ୍ଟ୍ରେଲିଆ ମଧ୍ୟ ୧୯୮୬, ୨୦୧୦ ଓ ୨୦୧୪ ମସିହାରେ ବିଶ୍ବ ଚାମ୍ପିୟନ ହୋଇଛି । ଜର୍ମାନୀ ୨ ଥର ଏହି ବିଶ୍ବ ଟ୍ରଫି ହାତେଇଥିବାବେଳେ ଭାରତ ଓ ବେଲଜିୟମ ଗୋଟିଏ ଥର ଲେଖାଏଁ ହକି ବିଶ୍ବକପ ଜିତିଛନ୍ତି । ଭାରତରେ ଚଳିତ ବର୍ଷ ଚତୁର୍ଥ ଥର ପାଇଁ ହକି ବିଶ୍ବକପ ଆୟୋଜନ ହେଉଛି । ତେବେ ଭାରତ, ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ଦଳକୁ ଚଳିତ ହକି ବିଶ୍ବକପରେ ବିଜେତା ହେବାପାଇଁ ଦାବିଦାର ବୋଲି କୁହାଯାଉଛି । ସେପଟେ ପୂର୍ବ ସଂସ୍କରଣରେ ଚାମ୍ପିୟନ ହୋଇଥିବା ବେଲଜିୟମ ମଧ୍ୟ ନିଜ ପୁଲରେ ଶୀର୍ଷ ସ୍ଥାନ ବଜାୟ ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ