ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଜାରି ରହିଛି ୬୨ତମ ଅନ୍ତଃରାଜ୍ୟ ଆଥଲେଟିକ୍ ଚମ୍ପିଆନ୍ସିପ୍ । ଏଥିରେ ୧୦୦ ମିଟର ଇଭେଣ୍ଟ ମହିଳା ବର୍ଗରେ ଆନ୍ଧ୍ର ପ୍ରଦେଶର ଜ୍ୟୋତି ୟାରାଜି ଏବଂ ପୁରୁଷ ବର୍ଗରେ ତାମିଲନାଡୁର ବି. ଶିବ କୁମାର ଚମ୍ପିଆନ୍ ହୋଇ ସ୍ବର୍ଣ୍ଣ ପଦକ ହାତେଇଛନ୍ତି । ପୁରୁଷ ବର୍ଗରେ ଅମୀୟ କୁମାର ମଲ୍ଲିକ ଓଡ଼ିଶାକୁ ନିରାଶ କରିଥିବା ବେଳେ ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ ୧୦୦ ମିଟରରେ ରୌପ୍ୟ ପଦକ ହାସଲ କରିଛନ୍ତି ।
୧୦୦ ମିଟର ମହିଳାବର୍ଗରେ ଜ୍ୟୋତି ୟାରାଜି (୧୧.୪୬ ସେକେଣ୍ଡ) ପ୍ରଥମ ସ୍ଥାନ ହାସଲ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଓଡ଼ିଆ ଝିଅ ଶ୍ରାବଣୀ (୧୧.୫୯ ସେକେଣ୍ଡ) ରୌପ୍ୟ ଏବଂ ହରିଆନାର ହିମାଶ୍ରୀ ରଏ (୧୧.୭୧ ସେକେଣ୍ଡ) ବ୍ରୋଞ୍ଜ ପଦକ ଅଧିକାର କରିଛନ୍ତି । ପୁରୁଷ ବର୍ଗରେ ବି. ଶିବ କୁମାର (୧୦.୩୭ ସେକେଣ୍ଡ) ପ୍ରଥମ ସ୍ଥାନ ହାସଲ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିଭଳି ପଞ୍ଜାବର ଅର୍ଜିତ ସିଂ (୧୦.୪୫ ସେକେଣ୍ଡ) ସହ ଦ୍ବିତୀୟ ସ୍ଥାନରେ ରୌପ୍ୟ ଏବଂ ତାମିଲନାଡୁର କେ. ଏଲାକିୟାଦାସନ (୧୦.୪୭ ସେକେଣ୍ଡ) ସହ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଜିତିଥିଲେ । ୧୦୦ ମିଟର ପୁରୁଷ ବର୍ଗରେ ଓଡ଼ିଶାର ଅମୀୟ କୁମାର ମଲ୍ଲିକ (୧୦.୫୮ ସେକେଣ୍ଡ) ଅଷ୍ଟମ ସ୍ଥାନରେ ରହିଥିଲେ । ତେବେ ଦ୍ବିତୀୟ ଦିନରେ ୧୨ରୁ ଅଧିକା ଆଥ୍ଲେଟ୍ ଆଗାମୀ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।
ମହିଳା ୪୦୦ ମିଟର ଦୌଡ଼ରେ ହରିଆନାର ଅଞ୍ଜଳି ଦେବୀ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ମାତ୍ର ୫୧.୪୮ ସେକେଣ୍ଡରେ ଏହି ଦୂରତା ଅତିକ୍ରମ କରିଥିଲେ । ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ସମୟ ୫୨.୯୬ ସେକେଣ୍ଡ ରହିଥିବା ବେଳେ ଶୁକ୍ରବାର ହିଁ ସେ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ହାସଲ କରିଥିଲେ । ଏହି ବର୍ଗରେ ଦ୍ବିତୀୟ ସ୍ଥାନ ସହିତ ରୌପ୍ୟ ବିଜେତା ହିମାଂଶୀ ମଲିକ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ବ୍ରୋଞ୍ଜ ବିଜେତା ତାମିଲନାଡୁର ଆର. ରାମରାଜ ମଧ୍ୟ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ସେହିଭଳି ପୁରୁଷ ବର୍ଗରେ ମଧ୍ୟ ୪ ଜଣ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ହାସଲ କରିବାରେ ସଫଳ ରହିଥିଲେ ।
ଡିସ୍କସ୍ ଥ୍ରୋ ପୁରୁଷ ବର୍ଗରେ ପଞ୍ଜାବର କ୍ରିପାଲ ସିଂହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଗଗନଦୀପ ସିଂହ ରୌପ୍ୟ ଏବଂ ହରିଆନାର ନିର୍ଭୟ ସିଂହ ବ୍ରୋଞ୍ଜ ପଦକ ପାଇଛନ୍ତି । ଡିସ୍କସ୍ ଥ୍ରୋ ମହିଳା ବର୍ଗରେ ଉତ୍ତର ପ୍ରଦେଶର ସୀମା ପୁନିଆଙ୍କୁ ସ୍ବର୍ଣ୍ଣ ପଦକ ମିଳିଥିବା ବେଳେ ମଧ୍ୟପ୍ରଦେଶର ଶାଲିନୀ ଚୌଧୁରୀ ରୌପ୍ୟ ଓ ରାଜସ୍ଥାନର କିରଣ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ବିଭାଗରେ ଓଡ଼ିଶାର ସଲ୍ମି କିସପୋଟା ଚତୁର୍ଥ ସ୍ଥାନରେ ରହିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର