ଭୁବନେଶ୍ବର : ହକି ବିଶ୍ବକପ ୨୦୨୩ । ଆସନ୍ତାକାଲି (ରବିବାର) ଫାଇନାଲ ମ୍ୟାଚରେ କମ୍ପିବ କଳିଙ୍ଗ । ମୁହାଁମୁହିଁ ହେବେ ବେଲଜିୟମ ବନାମ ଜର୍ମାନୀ । ସୁପର ସଣ୍ଡେରେ ଦେଖିବାକୁ ମିଳିବ ସୁପର ସୋ । ବିଶ୍ବଚମ୍ପିଆନ ହେବା ନେଇ ଉଭୟ ଦଳ ମଧ୍ୟରେ ଖେଳାଯିବ ହାଇଭୋଲଟେଜ ମ୍ୟାଚ । ବର୍ଷ ୨୦୧୮ ରେ ବେଲଜିୟମ ଫାଇନାଲରେ ନେଦରଲାଣ୍ଡକୁ ହରାଇ ବିଶ୍ବବିଜେତା ହୋଇଥିଲା । ସେହିପରି ଜର୍ମାନୀ ବର୍ଷ ୨୦୦୨, ଏବଂ ବର୍ଷ ୨୦୦୬ରେ ବିଶ୍ବ ଚମ୍ପିଆନ ହୋଇଥିଲା । ହକି ମହାକୁମ୍ଭ ଅନ୍ତିମ ପର୍ଯ୍ୟାୟରେ ପହଁଞ୍ଚିଛି । ଆସନ୍ତାକାଲି ଖେଳାଯିବ ବହୁ ପ୍ରତିକ୍ଷିତ ଫାଇନାଲ ମ୍ୟାଚ । କିଏ ଖେଳିବ ଫାଇନାଲ ମୁକାବିଲା ତାହା ନିର୍ଦ୍ଧାରିତ ହୋଇସାରିଛି । ପ୍ରଥମେ ପୁଲ ମ୍ୟାଚ, ପରେ କ୍ବାର୍ଟର ଫାଇନାଲ ଏବଂ ସେମିଫାଇନାଲ ମ୍ୟାଚ ଖେଳି ଫାଇନାଲ ଟିକଟ ହାଇତେଇଛନ୍ତି ବେଲଜିୟମ ଏବଂ ଜର୍ମାନୀ । ତେବେ ବିଶ୍ବକପ ଟାଇଟଲ ହାତେଇବା ପାଇଁ ଉଭୟ ଦଳ ମଧ୍ୟରେ ହେବ କଡା ଟକ୍କର ।
ହେଡ ଟୁ ହେଡ
ବେଲଜିୟମ ଏବଂ ଜର୍ମାନୀ ମଧ୍ୟରେ ଏପର୍ଯ୍ୟନ୍ତ ୩୫ ଥର ମୁକାବିଲା ହୋଇଛି । ଯେଉଁଥିରେ ବେଲଜିୟମ ୧୫ ଟି ମୁକାବିଲାରେ ବିଜୟ ହାସଲ କରିଛି । ଏବଂ ୧୩ ଟି ମୁକାବିଲାରେ ଜର୍ମାନୀ ବିଜୟ ହାସଲ କରିଛି । ଏବଂ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ୭ ମ୍ୟାଚ ଡ୍ର ରହିଛି । ତେବେ ଏହି ମୁକାବିଲା ଉପରେ ନଜର ପକାଇଲେ ଜର୍ମାନୀ ବିପକ୍ଷରେ ବେଲଜିୟମର ପଲ୍ଲା ଭାରି ରହିଛି । ବେଲଜିୟମର ବିଜୟ ପ୍ରତିଶତ ୪୨.୮୬ ରହିଛି । ସେହିପରି ଜର୍ମାନୀର ବିଜୟ ପ୍ରତିଶତ ୩୪.୧୪ ରହିଛି । ଜର୍ମାନୀ ୫ ଥର ପାଇଁ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି । ସେହିପରି ବେଲଜିୟମ ଲଗାତାର ଦ୍ବିତୀୟ ଥର ପାଇଁ ବିଶ୍ବକପ ଫାଇନାଲରେ ପ୍ରବେଶ କରିବାରେ ସଫଳ ରହିଛି ।
୨୦୨୩ ହକି ବିଶ୍ବକପରେ ଉଭୟ ଦଳର ପ୍ରଦର୍ଶନ
ଜର୍ମାନୀ ୨୦୨୩ ହକି ବିଶ୍ବକପରେ ୬ ଟି ମୁକାବିଲା ଖେଳିଛି । ଯେଉଁଥିରେ ୫ ଟି ମ୍ୟାଚରୁ ଜର୍ମାନୀ ବିଜୟ ଲାଭ କରିଛି । ଏବଂ ଗୋଟିଏ ମ୍ୟାଚ ଡ୍ର ରହିଥିଲା । ସେହିପରି ବେଲଜିୟମ ୨୦୨୩ ହକି ବିଶ୍ବକପରେ ୫ ଟି ମୁକାବିଲା ଖେଳିଛି । ଯେଉଁଥିରେ ୪ ଟି ମ୍ୟାଚରୁ ଜର୍ମାନୀ ବିଜୟ ଲାଭ କରିଛି । ଏବଂ ଗୋଟିଏ ମ୍ୟାଚ ଡ୍ର ରହିଥିଲା । ୨୦୨୩ ହକି ବିଶ୍ବକପର ଫାଇନାଲ ମ୍ୟାଚ ଜର୍ମାନୀର ସପ୍ତମ ମ୍ୟାଚ ହେବ । ଏବଂ ବେଲଜିୟମର ଏହା ଷଷ୍ଠ ମ୍ୟାଚ ହେବ । ତେବେ ଉଭୟ ଦଳ ଫାଇନାଲ ମୁକାବିଲା ଜିତିବା ପାଇଁ ଜୋରଦାର କସରତ କରିବେ ।