ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଛି ଏଫଆଇଏଚ ପୁରୁଷ ହକି ବିଶ୍ବକପ । ଆଜି ହକି ବିଶ୍ବକପ ମ୍ୟାଚର ଦ୍ବିତୀୟ ଦିନ । ଗତକାଲି ପ୍ରଥମ ଦିନରେ ୪ଟି ମ୍ୟାଚ ଥିବା ବେଳେ ଆଜି ମଧ୍ୟ ୪ଟି ମ୍ୟାଚ ଖେଳାଯିବ । ଗ୍ରୁପ C ଓ ଗ୍ରୁପ B ମଧ୍ୟରେ ମ୍ୟାଚ ଖେଳାଯିବ । ପ୍ରଥମ ଦୁଇଟି ମ୍ୟାଚ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବାକୁ ଥିବା ବେଳେ ସନ୍ଧ୍ୟା ସମୟରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଆଉ ଦୁଇଟି ମ୍ୟାଚ ଖେଳାଯିବ । ନଜର ପକାନ୍ତୁ ଆଜିର ମ୍ୟାଚ ଉପରେ ।
ବିଶ୍ବକପର ଦ୍ବିତୀୟ ଦିନର ପ୍ରଥମ ଦୁଇଟି ମ୍ୟାଚ ରାଉରକେଲାରେ ଖେଳାଯିବ । ଦିନ ୧ଟା ସମୟରେ ନ୍ୟୁଜିଲ୍ୟାଣ୍ଡ ଓ ଚିଲି ମଧ୍ୟରେ ଖେଳାଯିବ । ଏହାପରେ ଅପରାହ୍ନ ୩ଟା ସମୟରେ ନେଦରଲ୍ୟାଣ୍ଡ ଓ ମାଲେସିଆ ମଧ୍ୟରେ ମ୍ୟାଚ ଆରମ୍ଭ ହେବ । ସନ୍ଧ୍ୟା ୫ଟା ସମୟରେ ଭୁବନେଶ୍ବରରେ ବେଲଜିୟମ୍ ଓ କୋରିଆ ମଧ୍ୟରେ ମୁକାବିଲା ହେବାକୁ ଥିବା ବେଳେ ସନ୍ଧ୍ୟା ୭ଟାରେ ମୁହାଁମୁହିଁ ହେବେ ଜର୍ମାନୀ ଓ ଜାପାନ ।
ତେବେ ଆଜିର ମ୍ୟାଚ ଦେଖିବାକୁ କ୍ରିଡା ପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି । ରାଜ୍ୟ ବାହର ତଥା ବିଦେଶ ଦର୍ଶକ ଓଡିଶାରେ ଆସି ପହଞ୍ଚିଛନ୍ତି । ଆଜି ଏହି ୪ଟି ଟିମ ମଧ୍ୟରେ ରୋମାଞ୍ଚଙ୍କର ମ୍ୟାଚ ଦେଖିବାକୁ ମିଳିବ । ସମସ୍ତ ଟିମ ରଣକ୍ଷେତ୍ରକୁ ଓହ୍ଲାଇବାକୁ ନିଜକୁ ପ୍ରସ୍ତୁତ କରିଛନ୍ତି । ଗତକାଲି ଭୁବନେଶ୍ବର କଳିଙ୍କ ଷ୍ଟାଡିୟମ ଓ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ୪ଟି ମ୍ୟାଚ ଖେଳାଯାଇଥିଲା । ପ୍ରଥମ ମ୍ୟାଚ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିଲା । ଭୁବନେଶ୍ବରରେ ଏହି ମ୍ୟାଚ ଖେଳାଯାଇଥିବା ବେଳେ ଦକ୍ଷିଣ ଆଫ୍ରିକାକୁ ୧-୦ରେ ପରାସ୍ତ କରିଥିଲା ଆର୍ଜେଣ୍ଟିନା । ଏହାପରେ ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ ମୁକାବିଲା ହୋଇଥିଲା । ଏହି ମ୍ୟାଚ ସମ୍ପୂର୍ଣ୍ଣ ରୂପେ ଏକ ପାଖିଆ ହୋଇଥିବା ବେଳେ ଫ୍ରାନ୍ସକୁ ୮-୦ରେ ହରାଇଥିଲା ଅଷ୍ଟ୍ରେଲିଆ । ଏହାପରେ ତୃତୀୟ ମ୍ୟାଚ ରାଉରକେଲା ଷ୍ଟାଡିୟମରେ ଇଂଲଣ୍ଡ ଓ ୱେଲ୍ସ ମଧ୍ୟରେ ଖେଳାଯାଇଥିଲା । ଏଥିରେ ମ୍ୟାଚ ଖେଳାଯାଇଥିବା ବେଳେ ୱେଲ୍ସକୁ ୫-୦ ଗୋଲ୍ରେ ପରାସ୍ତ କରିଥିଲା ଇଂଲଣ୍ଡ । ପ୍ରଥମ ଦିନର ଶେଷ ମ୍ୟାଚ ଭାରତ ଓ ସ୍ପେନ ମଧ୍ୟରେ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିଲା । ସନ୍ଧ୍ୟା ୭ଟାରେ ଏହି ମ୍ୟାଚ ଆରମ୍ଭ ହୋଇଥିବା ବେଳେ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ମ୍ୟାଚର ପ୍ରଥମ ଦିନରୁ ବିଜୟ ଅଭିଯାନ ଆରମ୍ଭ କରିଥିଲା ଟିମ ଇଣ୍ଡିଆ ।
ଆରମ୍ଭରୁ ସ୍ପେନ ଏବଂ ହୋମ ଟିମ ଭାରତ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଓଡିଆ ପୁଅ ତଥା ଉପଅଧିନାୟକ ପ୍ରଥମ ଗୋଲ ଦେଇ ଟିମ ଇଣ୍ଡିଆର ଖାତା ଖୋଲିଥିଲେ । ଏହାପରେ ଦଳକୁ ଦ୍ବିଚୀୟ ଗୋଲ ଦେଇଥିଲେ ଗୋଲ ଦେଇଥିଲା ହାର୍ଦ୍ଦିକ ସିଂହ । ଯାହା ଦଳର ମନୋବଳକୁ ବେଶ୍ ସୁଦୃଢ କରିଥିଲା । ପ୍ରଥମାର୍ଦ୍ଧ ବେଳକୁ ଦଳ ଦୁଇଟି ଗୋଲ ଦେଇସାରିଥିବା ବେଳେ ସ୍ପେନ୍ ଗୋଟିଏ ବି ଗୋଲ କରି ପାରିନଥିଲା । ଦ୍ବିତୀୟାର୍ଦ୍ଧରେ କେହି ଗୋଲ ଦେଇନଥିଲେ । ନିର୍ଦ୍ଧାରିତ ସମୟରେ ଖେଳ ଶେଷ ହେବା ସହିତ ଭାରତ ରୋମାଞ୍ଚକର ବିଜୟ ହାସଲ କରିଥିଲା । ଅମିତ ରୋହିଦାସଙ୍କର ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାଚରେ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର