ପଟିଆଲା: ଭାରତୀୟ ତାରକା ଧାବିକା ଦୂତୀ ଚାନ୍ଦଙ୍କ ଟୋକିଓ ଅଲମ୍ପିକ ଯୋଗ୍ୟତା ଅର୍ଜନ ଆଶା ସୂତାଖିଅରେ ଝୁଲୁଛି । ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ ଚମ୍ପିଆନସିପରେ ଦୂତୀଙ୍କ ପାଖରେ ଟୋକିଓ ଟିକେଟ ହାସଲ କରିବାକୁ ଶେଷ ସୁଯୋଗ ରହିଛି । ମହିଳା 100 ମିଟର ବର୍ଗରେ ଟୋକିଓ ଅଲମ୍ପିକ ଯୋଗ୍ୟତା ଅର୍ଜନର ସମୟ 11.15 ସେକେଣ୍ଡ ରହିଛି ।
ତେବେ ସକାଳ ଅଧିବେଶନରେ ଦୂତୀଙ୍କ ବାମଗୋଡର ମାଂସପେଶୀ ଟାଣି ହୋଇଯାଇଥିବା ସୂଚନା ମିଳିଛି । ଫଳରେ ଶନିବାର ସନ୍ଧ୍ୟାରେ ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ ଚମ୍ପିଆନସିପ 100 ମିଟର ଇଭେଣ୍ଟର ଫାଇନାଲରେ ଦୂତୀଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି ।
ଶନିବାର ଦୂତୀଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିନ ହୋଇଥିଲେ ମଧ୍ୟ ଖରାପ ଦିନ ବୋଲି କହିଛନ୍ତି ଦୂତୀ । "ଶନିବାର ସକାଳେ ମହିଳା 100 ମିଟର ହିଟ୍ ଦୌଡ ସମୟରେ ବାମଗୋଡର ମାଂସପେଶୀ ଟାଣିହୋଇଯାଇଥିଲା । ମୁଁ ମେଡିସିନ ଖାଇଛି ଓ ଫିଜିଓ ଚିକିତ୍ସା ମଧ୍ୟ କରିଛନ୍ତି । ଗୋଡ ଆଘାତ ବର୍ତ୍ତମାନ ଠିକ୍ ହେବା ଆଶା ରହିଛି । ସନ୍ଧ୍ୟାରେ ହେବାକୁ ଥିବା ଫାଇନାଲରେ ଦୌଡିପାରିବି ବୋଲି ଆଶା ।" ଏହା କହିଛନ୍ତି, 25 ବର୍ଷୀୟ 2018 ଜାକର୍ତ୍ତା ଏସୀୟ ଖେଳ 100 ମିଟର/200 ମିଟର ରୌପ୍ୟ ପଦକ ବିଜେତା ଦୂତୀ ।
ସୋମବାର ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ 4ରେ ଦୂତୀ ମହିଳା 100 ମିଟର ଫାଇନାଲରେ 11.17 ସେକେଣ୍ଡରେ ପହଞ୍ଚିଥିଲେ । ଏହା ଦ୍ବାର ନୂଆ ଜାତୀୟ ରେକର୍ଡ କରିଥିଲେ ଦୂତୀ । ପୂର୍ବରୁ ରାଞ୍ଚିରେ 11.22 ସେକେଣ୍ଡ ସହ ଜାତୀର ରେକର୍ଡ ନିଜ ନାମରେ କରିଥିଲେ ଓଡିଆ ଧାବିକା ଦୂତୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ