ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା 2022ରେ ଡେବ୍ୟୁ କରିବ ମହିଳା ଟି20 କ୍ରିକେଟ । ଏଜବାଷ୍ଟନରେ ଜୁଲାଇ 29ରୁ ଅଗଷ୍ଟ 7 ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଖେଳାଯିବ । ଏହି ପ୍ରତିଯୋଗିତାରେ 8ଟି ଟିମ ରହିବେ ଓ ଅଗଷ୍ଟ 4 ପର୍ଯ୍ୟନ୍ତ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ । ଅଗଷ୍ଟ 6ରେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଅଗଷ୍ଟ 7ରେ ଖେଳାଯିବ । ତୃତୀୟ ସ୍ଥାନ(ବ୍ରୋଞ୍ଜ ମେଡାଲ) ମ୍ୟାଚ୍ ମଧ୍ୟ ଅଗଷ୍ଟ 7ରେ ଖେଳାଯିବ ।
11ଦିନ ସୁଇମିଂ ଓ ଡାଇଭିଂ, 8 ଦିନ କ୍ରିକେଟ, 8 ଦିନ ଜିମ୍ନାଷ୍ଟିକ୍ସ ଓ ମାରାଥନ ସମେତ 7 ଦିନ ଆଥଲେଟିକ୍ସ ଖେଳାଯିବ । ଏନେଇ ରାଜ୍ୟଗୋଷ୍ଠୀ କ୍ରୀଡାର ଅଫିସିଆଲ ୱେବସାଇଟ୍ରେ ଘୋଷଣା କରାଯାଇଛି । ରାଜ୍ୟ ଗୋଷ୍ଠୀ କ୍ରୀଡା ଇତିହାସରେ ପ୍ରଥମ ଥର ପାଇଁ ବର୍ମିହାଂମ 2022 ପ୍ରତିଯୋଗିତାରେ ପୁରୁଷଙ୍କ ଅପେକ୍ଷା ଅଧିକ ମହିଳାଙ୍କ ପାଇଁ ମେଡାଲ ଇଭେଣ୍ଟ ରହିଛି । ପାରା-ସ୍ପୋର୍ଟ୍ସ ପ୍ରୋଗ୍ରାମକୁ ମଧ୍ୟ ସଂପୂର୍ଣ୍ଣ ଭାବେ ସାମିଲ କରାଯାଇଛି ।
ଅନ୍ୟପଟେ ଦ୍ବିତୀୟ ଥର ପାଇଁ ରାଜ୍ୟ ଗୋଷ୍ଠୀ କ୍ରୀଡାରେ କ୍ରିକେଟ ସାମିଲ ହେବାକୁ ଯାଉଛି । ତେବେ ମହିଳା କ୍ରିକେଟ ଓ ଟି20 ଫର୍ମାଟର ଡେବ୍ୟୁ ହେବାକୁ ଯାଉଛି । ପୂର୍ବରୁ 1998 କ୍ବାଲା ଲାମପୁର ରାଜ୍ୟଗୋଷ୍ଠୀ କ୍ରୀଡାରେ 50 ଓଭର ଫର୍ମାଟରେ ପୁରୁଷ କ୍ରିକେଟ ପ୍ରତିଯୋଗିତା ଖେଳାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ