ହାଇଦ୍ରାବାଦ: ସାରା ଦେଶ ଏବେ କୋରୋନା ବିରୋଧୀ ଲଢେଇ ପାଇଁ ଏକଜୁଟ ହୋଇଛି । ଏଭଳି ସଙ୍କଟମୟ ସ୍ଥିତିରେ କୋରୋନା ମୁକାବିଲା ପାଇଁ ସହାୟତା ନିମନ୍ତେ ପିଏମ କେୟାର୍ସ ଫଣ୍ଡ କରାଯାଇଛି । ଧନୀ ଗରିବ ନିର୍ବିଶେଷରେ ନିଜ ସାଧ୍ୟ ମୁତାବକ ସମସ୍ତେ ସହଯୋଗ ଯୋଡୁଛନ୍ତି । ଏପରିସ୍ଥଳେ ଭାରତୀୟ ଚେସ ଜଗତର ବାଦଶାହ ତଥା ପୂର୍ବତମ ବିଶ୍ବ ଚାମ୍ପିୟନ କୁହାଯାଉଥିବା ବିଶ୍ବନାଥ ଆନନ୍ଦଙ୍କ ସମେତ 6ଜଣ ଭାରତୀୟ ଚେସ ଖେଳାଳି କୋରୋନାଭାଇରସ ମହାମାରୀର ମୁକାବିଲା ପାଇଁ ଏପ୍ରିଲ 11ରେ ପ୍ରଶଂସକଙ୍କ ସହ ଅନଲାଇନ୍ ଚେସ ଖେଳିବେ ।
ପ୍ରତିବନ୍ଧକ ହେତୁ ଜର୍ମାନୀରେ ଫସି ରହିଥିବା ଆନନ୍ଦ କହିଛନ୍ତି ଯେ ଏପ୍ରିଲ 11ରେ ଭାରତୀୟ ଚେସ ଖେଳାଳିମାନେ ପାଣ୍ଠି ସଂଗ୍ରହ କରିବାକୁ ଚେଷ୍ଟା କରିବେ । ଏଥିପାଇଁ ଚେସ ପ୍ରଶଂସକମାନଙ୍କୁ ଆମ ସହ ଖେଳିବା ଓ ଜଡିତ ହେବାର ସୁଯୋଗ ମିଳିବ ବୋଲି କହିଛନ୍ତି ।
ଆନନ୍ଦଙ୍କ ସହ ଭାରତର ପୁରୁଷ ଓ ମହିଳା ଚାମ୍ପିଅନ୍ କୋନେରୁ ହମ୍ପି, ପି ହରିକୃଷ୍ଣ, ବି ଆଦିବନ୍, ବିଦିତ ଗୁଜରାଟୀ ଏବଂ ଦ୍ରୋନାଭାଲ୍ଲୀ ହରିକା ଶନିବାର ଦିନ ଚେସ୍ ଡଟ୍ କମ୍ ମାଧ୍ୟମରେ ବିଶ୍ବ ଚେସ୍ ପ୍ରଶଂସକ ଏବଂ ଖେଳାଳି (ଭାରଚତୀୟ ସମୟ 6ଟାରେ ) ଆମ ବିପକ୍ଷରେ ଖେଳିବେ । ଭାରତରେ କୋରୋନା ଭାଇରସ୍ ମହାମାରୀର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ଜରୁରୀକାଳୀନ ପରିସ୍ଥିତିରେ ରିଲିଫ୍ (PM CARES) ପାଣ୍ଠିକୁ ଏଥିରୁ ଆୟ ଅର୍ଥ ପ୍ରଦାନ କରାଯିବ ।
25 ଡଲାରର ପଞ୍ଜୀକରଣରେ ଜଣେ ବ୍ୟକ୍ତିଙ୍କୁ 6 ଜଣ ଶ୍ରେଷ୍ଠ ଭାରତୀୟ ଖେଳାଳିଙ୍କ ମଧ୍ୟରୁ କୌଣସି 2 ଜଣଙ୍କ ସହ ଖେଳିବାକୁ ସୁଯୋଗ ମିଳିବ । ଏହାସହ ଆନନ୍ଦଙ୍କ ବିପକ୍ଷରେ ଖେଳ ଖେଳିବାକୁ ହେଲେ ସର୍ବନିମ୍ନ 150 ଡଲାର ଦେଇ ପଞ୍ଜୀକରଣ କରିବାକୁ ପଡିବ ।
ଆନନ୍ଦ କହିଛନ୍ତି, ଏଭଳି ସମୟରେ ଘରେ ରହିବା ଆବଶ୍ୟକ । ଏହାସହ ପଜେଟିଭ ଉର୍ଜା ମଧ୍ୟ ରଖିବା ଆବଶ୍ୟକ । ଚେସ୍ ହେଉଛି ଏକ ଖେଳ ଯାହା ପାରିବାରିକ ବନ୍ଧନକୁ ସାହାଯ୍ୟ କରିଥାଏ ଏବଂ ଏହା ଏପରି କିଛି ଯାହା ଉଭୟ ଅନଲାଇନ୍ କିମ୍ବା ବୋର୍ଡରେ ଖେଳାଯାଇପାରିବ।
ଗତ ସପ୍ତାହରେ ଆନନ୍ଦ, ଅନ୍ୟ 48 ଜଣ କ୍ରୀଡ଼ା ବ୍ୟକ୍ତିତ୍ବଙ୍କ ସହ ଭିଡିଓ କନଫରେନ୍ସିଂ ଉପରେ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଥିଲେ । COVID-19 ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ।
ଭାରତରେ ଏପର୍ଯ୍ୟନ୍ତ 4,000 ରୁ ଅଧିକ ପଜେଟିଭ କୋରୋନା ଭାଇରସ୍ ରିପୋର୍ଟ ହୋଇଥିବାବେଳେ 118 ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।