ନୂଆଦିଲ୍ଲୀ: ତୁର୍କୀ ଏବଂ ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା ଏବଂ ଶିବପାଲ ସିଂଙ୍କ ପ୍ରଶିକ୍ଷଣ ଶିବିରକୁ ବାତିଲ କରାଯାଇଛି । ସେମାନେଙ୍କୁ ଭାରତ ଫେରିବାକୁ ନିର୍ଦ୍ଦେଶ ଦେଇଛି ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ(ଏଏଫଆଇ)ର ସଭାପତି ଆଦିଲେ ସୁମାରିୱାଲା ।
ସେ କହିଛନ୍ତି, କୋରୋନା ଭାଇରସ୍ ପ୍ରସାର ପରେ ଫେଡେରେସନ୍ ଏହି ଦୁଇ କଣ୍ଟିଜେଣ୍ଟକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି । ତୁର୍କୀରୁ ନୀରଜ ବୁଧବାର ସକାଳେ ପହଞ୍ଚିବାର ଆଶା କରାଯାଉଥିବା ବେଳେ ଦକ୍ଷିଣ ଆଫ୍ରିକାରୁ ଶିବପାଲ ଶନିବାର ସକାଳେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ତେବେ ଜର୍ମାନ ବାୟୋମେକାନିକ୍ସ ବିଶେଷଜ୍ଞ କ୍ଲାଉସ୍ ବାର୍ଟୋନିଏଜ୍ ଏବଂ ଫିଜିଓ ଇଶାନ୍ ମାରୱାଙ୍କ ସହ ତୁର୍କୀରେ ପ୍ରଶିକ୍ଷଣ ନେଉଥିଲେ ନୀରଜ । ସେହିପରି ରୋହିତ ଯାଦବଙ୍କ ସହ ଦକ୍ଷିଣ ଆଫ୍ରିକାରେ ଥିଲେ ଶିବପାଲ ।
ସୂଚନାଥାଉ କି, 2020 ଟୋକିଓ ଅଲିମ୍ପିକ୍ସ ପାଇଁ ନୀରଜ ଏବଂ ଶିବପାଲ ଉଭୟ ଯୋଗ୍ୟତା ଅର୍ଜନ କରିଛନ୍ତି ।
@IANS