ନୂଆଦିଲ୍ଲୀ: ବୟସର ଅପରାହ୍ନରେ ଭଗବାନୀ ଦେବୀ । ଯେଉଁ ବୟସରେ ବିଶ୍ରାମ କରିବା କଥା ସେହି ବୟସରେ ସେ ରେକର୍ଡ କରିଛନ୍ତି । ଏହି ବୟସ୍କ ଖେଳାଳି ବିଦେଶରେ ନିଜ ଦେଶର ପତାକା ଉଡାଇ ଦେଶକୁ ଗର୍ବିତ କରିଛନ୍ତି । 95 ବର୍ଷୀୟ ଭଗବାନୀ ଦେବୀ ଫିନଲାଣ୍ଡରେ ଅନୁଷ୍ଠିତ ବିଶ୍ବ ମାଷ୍ଟର୍ସ ଆଥଲେଟିକ ଚମ୍ପିଆନସିପ ସନିଅର ସିଟିଜନ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ପ୍ରମାଣ କରି ଦେଖାଇଛନ୍ତି ଖେଳ ପାଇଁ ବୟସର ବାଧା ହୋଇନଥାଏ । ପୂର୍ବ ବର୍ଷ 100 ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।
ବିଶ୍ବ ମାଷ୍ଟର୍ସ ଆଥଲେଟିକ ଚମ୍ପିଆନସିପ୍ 2023ରେ 100 ମିଟର ଦୌଡକୁ 24.74 ସେକେଣ୍ଡରେ ପୁରା କରିଛନ୍ତି । ଗୋଟିଏ ସେକେଣ୍ଡ ପାଇଁ ସେ ବିଶ୍ବ ରେକର୍ଡ କରିବାକୁ ବଞ୍ଚିତ ଅଛନ୍ତି । ମାତ୍ର 12 ବର୍ଷ ବୟସରେ ଭଗବାନୀ ଦେବୀଙ୍କ ବିବାହ ହୋଇଥିଲା । 30 ବର୍ଷ ବୟସରେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା । ଦ୍ବିତୀୟ ବିବାହ କରିନଥିଲେ ଭାଗବାନୀ । ସ୍ବାମୀଙ୍କ ଯିବା ପରେ ତାଙ୍କର ଏକ 8 ବର୍ଷୀୟ ଝିଅର ମୃତ୍ୟୁ ହୋଇଥିଲା । ତଥାପି ହାରି ନଥିଲେ ସେ । ସ୍ଥିତି ପରିସ୍ଥିତିର ମୁକାବିଲା କରିଥିଲେ । ପରିବାର ସମ୍ଭାଳିଥିଲେ । ତାଙ୍କର ଗୋଟିଏ ପୁଅ ଅଛନ୍ତି । ହରିୟାଣାର ଭଗବାନୀ ଦେବୀଙ୍କ ଏବେ 3ଟି ନାତି ଅଛନ୍ତି ।
ଏହା ବି ପଢନ୍ତୁ...BCCI Annual Contract List: A+ରେ ରୋହିତ, ଜାଡେଜା, ବୁମରା, ବିରାଟ
ବୟସ 95 ହେଲାଣି ହେଲେ ତାଙ୍କ ଜୋସ କମିନାହିଁ । ତାଙ୍କ ନାତି ବିକାଶ ମଧ୍ୟ ଖେଳରେ ରୁଚି ରଖନ୍ତି । ସେ ତାଙ୍କୁ ଦେଖି ପ୍ରେରଣା ପାଇଥିଲେ । ଭଗବାନୀ ଏବେ ଯାଏଁ ରାଷ୍ଟ୍ରୀୟ ସ୍ତରରେ 6 ସ୍ବର୍ଣ୍ଣ ପଦକ, 6 ରୌପ୍ୟ ପଦକ ଜିତିଛନ୍ତି । ବିଶ୍ବ ଚମ୍ପିଆନସିପ ରେକର୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ତାସହ ପୂର୍ବରୁ 2ଟି ବ୍ରୋଞ୍ଜ ପଦକ ମଧ୍ୟ ଜିତିଛନ୍ତି । ଆଗାମୀ ଟୁର୍ଣ୍ଣାମେଣ୍ଟରେ ଖେଳି ଦେଶ ପାଇଁ ପଦକ ଜିତିବେ ବୋଲି କହିଛନ୍ତି ଭଗବାନୀ ।
ଏହା ବି ପଢନ୍ତୁ...Swiss Open 2023: ସାତ୍ତ୍ବିକ-ଚିରାଗ ଡବଲ୍ସ ଚାମ୍ପିଅନ
95 ବର୍ଷ ବୟସରେ ଭଗବାନୀ ଦେବୀଙ୍କ ରେକର୍ଡ ପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ସେ ପୁଣି ଥରେ ପ୍ରମାଣ କରି ଦେଖାଇ ଦେଇଛନ୍ତି ଯେ ବୟସ କୌଣସି କାମରେ ବାଧା ଦିଏ ନାହିଁ । ସେ ଆଗରୁ ଦିଲ୍ଲୀ ଷ୍ଟେଟ୍ ଆଥଲେଟିକ୍ସ ଚମ୍ପିଆନସିପରେ 100 ମିଟର ଦୌଡ, ସଟଫୁଟ ଏବଂ ଜାଭାଲିନ ଥ୍ରୋରେ 3ଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ବୟସର ଅପରାହ୍ନରେ ଭଗବାନୀ ଦେବୀଙ୍କ ରେକର୍ଡ ଆଗାମୀ ପିଢିକୁ ପ୍ରେରଣା ଦେବ ।