ମାନିଲା: ଚଳିତ ଏସିଆ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଭାରତର ତାରକା ଖେଳାଳି ପିଭି ସିନ୍ଧୁଙ୍କ ଅଭିଯାନ ଶେଷ ହୋଇଛି । ସେମି ଫାଇନାଲରେ ହାରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ସିନ୍ଧୁ । ସେ 21-13, 19-21, 16-21 ଗେମରେ ଟପ ଜାପାନ ଖେଳାଳି ଆକାନେ ୟାମାଗୁଚିଙ୍କଠୁ ପରାସ୍ତ ହୋଇଛନ୍ତି ।
ଦୁଇ ଦୁଇ ଥର ଅଲମ୍ପିକ୍ସ ବିଜୟିନୀ ସିନ୍ଧୁ ମାତ୍ର 16 ମିନିଟ ସମୟ ନେଇ ପ୍ରଥମ ଗେମ ଅକ୍ତିଆର କରିଥିଲେ । ଦ୍ବିତୀୟ ଗେମରେ ମଧ୍ୟ ସେ ଆଗୁଆ ଥିଲେ । ହେଲେ ପରେ ପ୍ରତିପକ୍ଷ ଖେଳାଳି ୟାମାଗୁଚିଙ୍କୁ ପେନାଲ୍ଟି ବାବଦକୁ 1 ପଏଣ୍ଟ ଦେଇଥିଲେ । ଏହାକୁ ନେଇ ରେଫରୀଙ୍କ ସହ ସିନ୍ଧୁଙ୍କ ଯୁକ୍ତିତର୍କ ହୋଇଥିଲା । ପୁନଃ ଖେଳ ଆରମ୍ଭ ହେବା ପରେ ସିନ୍ଧୁ ନିଜର ଲୟ ହରାଇ ବସିଥିଲେ । ୟାମଗୁଚି ଏହାର ଫାଇଦା ଉଠାଇଥିଲେ । 21-19 ଦ୍ବିତୀୟ ଗେମ ଜିତି ସ୍ଥିତି ବାରବର କରିଥିଲେ । ଏହି ମୁକାବିଲା 1 ଘଣ୍ଟା 6 ମିନିଟ ଧରି ଚାଲିଥିଲା ।
ପରବର୍ତ୍ତୀ ଗେମରେ ସିନ୍ଧୁ ଲଢୁଆ ପ୍ରଦର୍ଶନ କରିବା ସତ୍ତ୍ବେ ପରାଜୟର ଶିକାର ହୋଇଥିଲେ । ଫଳରେ ତାଙ୍କର ସ୍ବର୍ଣ୍ଣ କି ରୌପ୍ୟ ପଦକ ଆଶା ଧୂଳିସାତ ହୋଇଛି । ଏସିଆ ଚମ୍ପିଅନସିପରେ ସିନ୍ଧୁଙ୍କ ଏହା ଦ୍ବିତୀୟ ବ୍ରୋଞ୍ଜ ପଦକ । ପୂର୍ବରୁ 2014 ସଂସ୍କରଣରେ କାସ୍ୟଂ ପଦକ ହାସଲ କରିଥିଲେ । ସେମି ସମରରେ ହାରିବା ସହ ବ୍ରୋଞ୍ଜ ପଦକ ଜିତି ଏସିଆ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ସିନ୍ଧୁଙ୍କ ଅଭିଯାନ ଶେଷ ହୋଇଛି ।