ନୂଆଦିଲ୍ଲୀ: କ୍ରୀଡାଜଗତ ପାଇଁ କାଳ ହୋଇଛି ମହାମାରୀ କୋରୋନା । ସଂକ୍ରମଣ ଭୟରେ ପ୍ରାୟ ସମସ୍ତ ମେଗା କ୍ରୀଡା ଇଭେଣ୍ଟ ବନ୍ଦ ହୋଇଥିବାବେଳେ, ଖେଳାଳିଙ୍କ ଜୀବନ ପଛରେ ପଡିଛି ମହାମାରୀ । 1980 ଅଲମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଭାରତୀୟ ହକି ଟିମର ଦୁଇ ପ୍ରମୁଖ ସଦସ୍ୟ ମହାରାଜ କ୍ରୀଷନ କୌଶିକ ଓ ରବିନ୍ଦ୍ର ପାଲ ସିଂହ କୋଭିଡ-19ରେ ସଂକ୍ରମିତ ହେବାପରେ ହସ୍ପିଟାଲ ବେଡ୍ରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । କୌଶିକ ଗୁରୁତର ଓ ଆସନ୍ତା 24 ଘଣ୍ଟା ଶୁକ୍ରବାର ଅପରାହ୍ନ ପର୍ଯ୍ୟନ୍ତ ତାଙ୍କ ପାଇଁ ବେଶ ଗୁରୁତପୂର୍ଣ୍ଣ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।
66 ବର୍ଷୀୟ କୌଶିକ ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି ହୋଇଥିବାବେଳେ, 62 ବର୍ଷୀୟ ରବିନ୍ଦ୍ର ପାଲ୍ ଲକ୍ଷ୍ନୌରେ ସୌଭାଗ୍ୟବଶତଃ କୋଭିଡ କବଳରୁ ବର୍ତ୍ତିଯାଇଛନ୍ତି । ମାତ୍ର ନିୟମିତ ଅକ୍ସିଜେନ ଆବଶ୍ୟକ କରୁଛନ୍ତି । ଗୁରୁବାର ସନ୍ଧ୍ୟାରେ ତାଙ୍କୁ ଏକ କୋଭିଡ ୱାର୍ଡରୁ ବାହାରକୁ ଅଣାଯାଇ ସମାନ ହସ୍ପିଟାଲରେ ରଖାଯାଇଛି ।
ଡାକ୍ତର କହିଛନ୍ତି ଆସନ୍ତା 24 ଘଣ୍ଟା ଅର୍ଥାତ, ଶୁକ୍ରବାର ଅପରାହ୍ନ 2.00ଟା ପର୍ଯ୍ୟନ୍ତ କିଛି କୁହଯାଇପାରିବ ନାହିଁ । ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ରହିଛି । ଏପରିକି ମେଡିସିନ ମଧ୍ୟ ନେଉନଥିବା କହିଛନ୍ତି କୌଶିକଙ୍କ ପୁତ୍ର ଏସାନ । ବର୍ତ୍ତମାନ କେବଳ ପ୍ରାର୍ଥନା ହିଁ ସାହା । ଅନ୍ୟପଟେ କୌଶିକଙ୍କ ପତ୍ନୀ ମଧ୍ୟ କୌଭିଡରେ ସଂକ୍ରମିତ ହୋଇ ସମାନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ସେ ସୁସ୍ଥ ହୋଇଛନ୍ତି ଓ ଖୁବଶୀଘ୍ର ହସ୍ପିଟାଲରେ ଡିସଚାର୍ଜ ହେବେ ବୋଲି ଜଣାପଡିଛି ।
1980 ମସ୍କୋ ଅଲମ୍ପିକ ଗେମ୍ସରେ ସ୍ପେନକୁ 4-3ରେ ହରାଇ ଭାରତ ଇତିହାସ ରଚିବା ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ