ଟୋକିଓ: ଚଳିତ ଟୋକିଓ ଅଲମ୍ପିକର ମହିଳା ହକି ସେମିଫାଇନାଲ ମ୍ୟାଚରେ ପ୍ରାରମ୍ଭିକ ଲିଡ୍ ସତ୍ତ୍ବେ ଭାରତୀୟ ମହିଳା ଟିମ ଆର୍ଜେଣ୍ଟିନା ଠାରୁ ୧-୨ରେ ପରାସ୍ତ । ବୁଧବାର ସ୍ଥାନୀୟ Oi ହକି ଷ୍ଟାଡିୟମ ନର୍ଥ ପିଚ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ରାନୀ ରାମପାଲଙ୍କ ଟିମ ପରାଜୟର ସାମ୍ନା କରିବା ସହ ଫାଇନାଲ ଖେଳିବାକୁ ବଞ୍ଚିତ ହୋଇଛି । ଫଳରେ ଶୁକ୍ରବାର ଗ୍ରେଟ ବ୍ରିଟେନ ବିପକ୍ଷରେ ବ୍ରୋଞ୍ଜ ପଦକ ମ୍ୟାଚ୍ ଖେଳିବ । ଅନ୍ୟପଟେ ଆର୍ଜେଣ୍ଟିନା ସମାନ ଦିନ ନେଦରଲାଣ୍ଡ ସହ ସ୍ବର୍ଣ୍ଣ ପଦକ ମ୍ୟାଚ ଖେଳିବ ।
ପ୍ରଥମ କ୍ବାର୍ଟରର ଦ୍ବିତୀୟ ମିନିଟରେ ଭାରତକୁ ପେନାଲିଟି କର୍ଣ୍ଣର ମିଳିଥିଲା ଓ ଏହାର ଫାଇଦା ଉଠାଇ ଗୁରଜିତ କୌର ଗୋଲ୍ ସ୍କୋର କରିବା ସହ ଟିମକୁ ୧-୦ରେ ଆଗୁଆ କରିଥିଲେ । ମାତ୍ର ଦ୍ବିତୀୟ କ୍ବାର୍ଟରର ଆର୍ଜେଣ୍ଟିନା କ୍ୟାପଟେନ ନୋଏଲ ବାରିଓନୁଏଭୋ ଗୋଲ୍ କରିବା ସହ ସ୍କୋର ୧-୧ରେ ବରାବର କରିଥିଲେ । ପ୍ରଥମାର୍ଦ୍ଧ ସୁଦ୍ଧା ବରାବର ସ୍ଥିତିରେ ଥିଲେ ଉଭୟ ଟିମ ।
ମାତ୍ର ତୃତୀୟ କ୍ବାର୍ଟରରେ ଆର୍ଜେଣ୍ଟିନା କ୍ୟାପଟେନ ଦ୍ବିତୀୟ ଗୋଲ୍ କରିବା ସହ ଟିମକୁ ୨-୧ରେ ଆଗୁଆ କରିଥିଲେ । ଭାରତ ତୃତୀୟ କ୍ବାର୍ଟରରେ ସ୍କୋର ବରାବର କରିବାକୁ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇନଥିଲା । ପରେ ଶେଷ ୧୫ ମିନିଟରେ ଭାରତୀୟ ଖେଳାଳି ସମସ୍ତ ପ୍ରୟାସ ସହ ସଂଘର୍ଷ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ । ଫାଇନାଲରେ ପ୍ରବେଶ କରିବାର ଆଶା ମଉଳିଯାଇଥିଲା । ମେଗା ଅଲମ୍ପିକ ହକି ଇଭେଣ୍ଟର ଫାଇନାଲରେ ପ୍ରବେଶ କରିବାକୁ ଆର୍ଜେଣ୍ଟିନା ଖେଳାଳି ସଫଳ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ