ଭୁବନେଶ୍ବର: ଦ୍ବିତୀୟ ଦିନରେ ପହଞ୍ଚିଛି ପ୍ରଥମ ମହିଳା ଏକାଡେମୀ ହକି ଚମ୍ପିୟାନସିପ। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ସବ ଜୁନିଅର ବିଭାଗରେ ଓଡ଼ିଶା ନାଭାଲ ଟାଟା ହକି ଏକାଡେମୀ ଏକତରଫା ବିଜୟ ହାସଲ କରିଛି। ଗୁରୁବାର ଅପରାହ୍ନରେ ଖେଳାଯାଇଥିବା ଏହି ମ୍ୟାଚରେ ଓଡ଼ିଶା ଟାଟା ନାଭାଲ ହକି ଏକାଡେମୀ ଓ ଜୟ ଭାରତ ମଧ୍ୟରେ ଟକ୍କର ହୋଇଥିଲା।
ଏହି ମ୍ୟାଚରେ ଓଡ଼ିଶାର ଖେଳାଳିମାନେ ପ୍ରଥମରୁ ପ୍ରତିପକ୍ଷକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ଯାହାଫଳରେ ମ୍ୟାଚକୁ 8-0 ଗୋଲରେ ଜିତି ନେଇଥିଲା ଓଡ଼ିଶା ଟାଟା ନାଭାଲ ହକି ଏକାଡେମୀ। ଏହି ଚମ୍ପିୟାନସିପକୁ ଜିତିବାକୁ କଡା ପରିଶ୍ରମ କରୁଛନ୍ତି ଓଡ଼ିଶା ଫୁଟବଲ ଖେଳାଳି। ଗୁରୁବାର ଖେଳାଯାଇଥିବା ସବ ଜୁନିଅର ବିଭାଗର ଅନ୍ୟ ମ୍ୟାଚ ଗୁଡ଼ିକ ମଧ୍ୟ ଏକତରଫା ଭାବେ ଶେଷ ହୋଇଛି।
ଅଲମ୍ପିଆନ ବିବେକ ସିଂ ହକି ଏକାଡେମୀ ଓ ତାମିଲନାଡୁ ହକି ଏକାଡେମୀ ମଧ୍ୟରେ ଟକ୍କର ଦେଖିବାକୁ ମିଳିଥିଲା। ଏହି ମ୍ୟାଚକୁ ବିବେକ ସିଂ ଏକାଡେମୀ 11-0 ଗୋଲରେ ଜିତି ନେଇଛି। ଅନ୍ୟ ଏକ ମ୍ୟାଚରେ ସାଇ ଏକାଡେମୀ, ରାଉଣ୍ଡ ଗ୍ଲାସ ପଞ୍ଜାବ ଟିମକୁ 0-5 ଗୋଲରେ ପରାସ୍ତ କରିଛି । ଧ୍ୟାନଚାନ୍ଦ ହକି ଏକାଡେମୀକୁ ମୁମ୍ବାଇ ସ୍କୁଲ ସ୍ପୋର୍ଟସ 7-0 ଗୋଲରେ ଜିତି ନେଇଛି।
ଅନ୍ୟପକ୍ଷରେ ଜୁନିଅର ବିଭାଗରେ ଅନୁଷ୍ଠିତ 4ଟି ମ୍ୟାଚ ମଧ୍ୟ ଏକତରଫା ଭାବେ ଶେଷ ହୋଇଛି। ଜୁନିଅର ବିଭାଗରେ ସାଇ ଏକାଡେମୀ ଜୟ ଭାରତକୁ 6-0 ଗୋଲରେ ପରାସ୍ତ କରିଛି। ସେପଟେ ଗୁମାନହେର ରାଇଡର ରାଉଣ୍ଡ ଗ୍ଲାସ ପଞ୍ଜାବକୁ 4-0 ପରାସ୍ତ କରିଛି । ସେହିଭଳି ଅନ୍ୟ ଏକ ମ୍ୟାଚରେ ରାଜା କରନ ଏକାଡେମୀକୁ 9-1ରେ ପରାସ୍ତ କରିଛି ଧ୍ୟାନଚାନ୍ଦ ହକି ଏକାଡେମୀ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ