ଭୁବନେଶ୍ବର: ବୀରେନ୍ଦ୍ର ଲାକ୍ରା, ଏହି ନାମ କେବଳ ଓଡିଶା କିମ୍ବା ଭାରତ ନୁହେଁ, ବରଂ ବିଶ୍ବ ହକି ଜଗତରେ ଏକ ପରିଚିତ ନାମ । ଭାରତୀୟ ହକି ଟିମର ଲଢୁଆ ଡିଫେଣ୍ଡର ରହିଥିଲେ ବୀରେନ୍ଦ୍ର । ସେ ମଇଦାନରେ ଥିଲେ ବିପକ୍ଷ ଟିମ ଯେତେ ଶକ୍ତିଶାଳୀ ହୁଅନ୍ତୁ ନା କାହିଁକି, ଗୋଲ୍ ପୋଷ୍ଟ ପାଖରେ ପହଞ୍ଚିବା କାଠିକର ପାଠ ହୋଇଯାଏ । କୋଟି କୋଟି ଭାରତୀୟଙ୍କ ବିଶ୍ବାସ ଥାଏ, ଭାରତୀୟ ହକିର ଡିଫେଣ୍ଡି ୟୁନିଟର ଏହି ସେନାନାୟକ ବିଚକ୍ଷଣ ଓ ଲଢୁଆ ପ୍ରଦର୍ଶନ କରିବା ସହ ରୋକିବାରେ ସଫଳ ହେବାସହ ପ୍ରତି ଆକ୍ରମଣ କରିବେ । ପ୍ରତିପକ୍ଷ ଟିମର ଗୋଲ୍ ପ୍ରୟାସକୁ ଗୋଲ୍ପୋଷ୍ଟ ପାଖରେ ପହଞ୍ଚାଇବା ପୂର୍ବରୁ ବିଫଳ କରିଦେବେ ।
ତେବେ ଗୁରୁବାର ହକି ଟିମ ଇଣ୍ଡିଆର ଏହି ଲଢୁଆ ଡିଫେଣ୍ଡର ଅନ୍ତର୍ଜାତୀୟ ହକିକୁ ଅଲବିଦା କହିଛନ୍ତି । ଓଡିଆ ପୁଅ ବୀରେନ୍ଦ୍ରଙ୍କ ଅବସର ସୂଚନା ପ୍ରଥମେ ହକି ଇଣ୍ଡିଆ ଟ୍ବିଟ ଯୋଗେ ଘୋଷାଣ କରିବା ପରେ ସମସ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଭାରତୀୟ ହକି ଟିମ ନିକଟରେ ଟୋକିଓରେ ଐତିହାସିକ ପ୍ରଦର୍ଶନ ସହ ବ୍ରୋଞ୍ଜ ପଦକ ବିଜୟୀ ହୋଇ ଫେରିଛି ।
ଆଗାମୀ ପୁରୁଷ ହକି ବିଶ୍ବକପର ଆୟୋଜକ ରହିଛି ଓଡିଶା, ଯାହାକି ଓଡିଶାର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ ଖେଳାଯିବା ନେଇ ସୂଚୀ ରହିଛି । ଫଳରେ ଘରୋଇ ମାଟିରେ ଓଡିଶାର ହକି ପ୍ରେମୀ ପ୍ରିୟ ବୀରେନ୍ଦ୍ରଙ୍କ ଜଲୱା ଦେଖିବାକୁ ଇଚ୍ଛା ରଖିଥିଲେ । ଏପରିକି ସଦ୍ୟ ସମାପ୍ତ ଟୋକିଓ ଅଲମ୍ପିକ୍ରେ ଭାରତୀୟ ହକି ଟିମର ଉପ-ଅଧିନାୟକ ମଧ୍ୟ ସେ ରହିଥିଲେ । ମାତ୍ର ଯୁବ ଖେଳାଳିଙ୍କ ପାଇଁ ରାସ୍ତା ଉନ୍ମୁକ୍ତ କରିବାକୁ ଗୁରୁବାର ଡ୍ରାଗ୍-ଫ୍ଲିକର ରୁପିନ୍ଦର ପାଲ୍ ସିଂହ ଓ ବୀରେନ୍ଦ୍ର ଭାରତୀୟ ହକି ଟିମରୁ ଅବସର ଘୋଷଣା କରିଥିବା ଦର୍ଶାଇଛନ୍ତି ।
ନଜର ପକାନ୍ତୁ ବୀରେନ୍ଦ୍ର ଲାକ୍ରାଙ୍କ ସଫଳତମ ହକି କ୍ୟାରିୟର ଉପରେ...
- SAIL ହକି ଏକାଡେମୀ ରାଉରକେଲାରୁ ପ୍ରଶିକ୍ଷଣ ସହ ଯାତ୍ରା ଆରମ୍ଭ କରିଥିବା ଡିଫେଣ୍ଡର ବୀରେନ୍ଦ୍ର, ମୋଟ୍ ୨୦୧ଟି ମ୍ୟାଚ୍ ଖେଳିଛନ୍ତି ଓ ୧୦ଟି ଗୋଲ୍ ସ୍କୋର କରିଛନ୍ତି ।
- ପ୍ରଥମେ ବର୍ଷ ୨୦୦୯ରେ ସିଡନୀରେ ଆୟୋଜିତ ୟୁଥ ଅଲମ୍ପିକ୍ ଫେଷ୍ଟିଭାଲରେ ସେ ଭାରତକୁ ପ୍ରତିନିଧିତ୍ବ କରିଥିଲେ ।
- ପରେ ୨୦୦୯ ଜୁନିୟର ବିଶ୍ବକପ ଓ ୨୦୧୦ରେ ଢାକାରେ ଅନୁଷ୍ଠିତ SAAF ଗେମ୍ସରେ ଦମ ଦେଖାଇଥିଲେ । ପରେ ବର୍ଷ ୨୦୧୧ରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଚମ୍ପିଆନ୍ସ ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଜଲୱା ଦେଖାଇଥିଲେ । ପରେ ନିଜର ରାଙ୍କ୍ ବୃଦ୍ଧି କରିବା ସହ ସିନିୟର ଟିମ ଆଡକୁ ମୁହାଁଇଥିଲେ ବୀରେନ୍ଦ୍ର । ଏହା ସୁଯୋଗ ପାଇଁ ତାଙ୍କୁ ବେଶୀଦିନ ଅପେକ୍ଷା କରିବାକୁ ପଡିନଥିଲା ।
- ୨୦୧୦ ସାଉଥ ଏସିଆନ ଗେମ୍ସରେ ସିନିୟର ନ୍ୟାସନାଲ ଟିମରେ ଡେବ୍ୟୁ କରିଥିଲେ । ଏହାପରେ ଭାରତୀୟ ହକି ଟିମର ଅନେକ ସ୍ମରଣୀୟ ମ୍ୟାଚ୍ରେ ସେ ସଦସ୍ୟ ରହିଛନ୍ତି । ଏହାମଧ୍ୟରେ ରହିଛି ୨୦୧୪ ଏସିଆନ ଗେମ୍ସର ସଫଳତା, ରାୟପୁରରେ ଅନୁଷ୍ଠିତ ୨୦୧୫ ବିଶ୍ବ ଲିଗ୍ ଫାଇନାଲରେ ବ୍ରୋଞ୍ଜ ବିଜୟ, ୨୦୧୪ କମନୱେଲ୍ଥ ଗେମ୍ସରେ ରୌପ୍ୟ ବିଜୟ, ଭୁବନେଶ୍ବରରେ ବର୍ଷ ୨୦୧୯ରେ FIH ପୁରୁଷ ସିରିଜ ଫାଇନାଲ ଟୁର୍ଣ୍ଣାମେଣ୍ଟ ।ଲଢୁଆ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା, ରାଉରକେଲାରୁ ଆରମ୍ଭ ଟୋକିଓରେ ଶେଷ
- ଲମ୍ବା କ୍ୟାରିୟରରେ ବୀରେନ୍ଦ୍ର ଦୁଇଟି ଅଲମ୍ପିକରେ ଭାରତର ପ୍ରତିନିଧିତ୍ବ କରିଛନ୍ତି ଓ ୨୦୧୪, ୨୦୧୮ FIH ପୁରୁଷ ହକି ବିଶ୍ବକପ ସମେତ ପ୍ରାୟତଃ ସମସ୍ତ ବଡ ଟୁର୍ଣ୍ଣାମେଣ୍ଟରେ ନଜର ଆସିଛନ୍ତି ।
- ଆହତ କାରଣରୁ ୨୦୧୬ ରିଓ ଅଲମ୍ପିକ୍ ଖେଳିବାରୁ ବଞ୍ଚିତ ହୋଇଥିଲେ ମଧ୍ୟ ଦମଦାର କମବ୍ୟାକ କରିଥିଲେ ଓ ୨୦୧୬ ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଟିମ ଇଣ୍ଡିଆର ସ୍ବର୍ଣ୍ଣ ବିଜୟରେ ପ୍ରମୁଖ ଭୂମିକା ନିଭାଇଥିଲେ ।
- ଜାତୀୟ ଟିମ ପାଇଁ ୨୦୦ତମ ମ୍ୟାଚ୍ ମଧ୍ୟ ଖେଳିଛନ୍ତି । ଟୋକିଓ ଅଲମ୍ପିକ୍ରେ ଏହି ମାଇଲଷ୍ଟୋନକୁ ଅତିକ୍ରମ କରିଥିଲେ ବୀରେନ୍ଦ୍ର ।
- ଅବସର ଘୋଷଣା ପରେ ହକି ଇଣ୍ଡିଆ ବୀରେନ୍ଦ୍ରଙ୍କୁ ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇବା ସହ ଭାରତୀୟ ହକି ପ୍ରତି ବିଶେଷ ଅବଦାନ ପାଇଁ ଧନ୍ୟବାଦ ଜଣାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ