ହାଇଦ୍ରାବାଦ: ଭାରତୀୟ ମହିଳା ହକି ଦଳ ଦକ୍ଷିଣ କୋରିଆକୁ 2-1 ଗୋଲରେ ହରାଇଛି । ଦକ୍ଷିଣ କୋରିଆ ଓ ଭାରତ ମଧ୍ୟରେ ଦ୍ବିପାକ୍ଷିକ ସିରିଜ ଖେଳାଯାଉଛି । ଏହି ସିରିଜରେ ମୋଟ ତିନୋଟି ମ୍ୟାଚ ଖେଳାଯିବ ।
ପ୍ରଥମ ମ୍ୟାଚକୁ ଭାରତ ଜିତିବା ପରେ 1-0ରେ ଅଗ୍ରଣୀ ହୋଇଛି । ଭାରତ ପକ୍ଷରୁ ଯୁବ ଷ୍ଟ୍ରାଇକର ଲାଲ୍ରେମ ସିଆମି ମ୍ୟାଚର 20ତମ ମିନିଟରେ ପ୍ରଥମ ଗୋଲ ଦେଇଥିଲେ । ପରେ ନବନୀତ କୌର ମ୍ୟାଚର 40ତମ ମିନିଟରେ ଭାରତ ପାଇଁ ଦ୍ବିତୀୟ ଗୋଲ ସ୍କୋର କରିଥିଲେ ।
ଦକ୍ଷିଣ କୋରିଆ ପକ୍ଷରୁ ସିନ ହେଜେୟଙ୍ଗ ମ୍ୟାଚର 48ତମ ମିନିଟରେ ଏକମାତ୍ର ଗୋଲ ଦେଇଥିଲେ । ପ୍ରଥମ କ୍ବାର୍ଟରରେ ଭାରତ ଏକ ପେନାଲିଟି କର୍ଣ୍ଣରକୁ ଗୋଲରେ ପରିଣତ କରିପାରିନଥିଲା । ମ୍ୟାଚର ଶେଷ ଭାଗରେ ଘରୋଇ ଦକ୍ଷିଣ କୋରିଆ ଜୋରଦାର ଆକ୍ରମଣ କରିଥିଲା । ତେବେ ଭାରତର ଅଭିଜ୍ଞ ଗୋଲକିପର ସବିତା ଦମଦାର ପ୍ରଦର୍ଶନ କରିଥିଲେ । କୋରିଆର ସବୁ ପ୍ରୟାସକୁ ବିଫଳ କରିଦେଇଥିଲେ ।