ହାଇଦ୍ରାବାଦ: ଭାରତୀୟ ହକି ପ୍ରେମୀଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ବିଶ୍ବ ହକି ମାନ୍ୟତାର ଚତୁର୍ଥ ସ୍ଥାନରେ ଥିବା ଟିମ ଇଣ୍ଡିଆ ରବିବାର ମାନ୍ୟତାର ଷଷ୍ଠ ସ୍ଥାନରେ ଥିବା ଜର୍ମାନୀ ସହ ମୁହାଁମୁହିଁ ହେବ । ଜର୍ମାନୀ ଗସ୍ତରେ ଥିବା ଭାରତୀୟ ହକି ଟିମ 4ଟି ମ୍ୟାଚ ଖେଳିବ । ପ୍ରଥମ ମ୍ୟାଚ ରବିବାର ଖେଳାଯିବ ।
ଦୀର୍ଘ ଦିନ ପରେ ଆକ୍ସନକୁ ଫେରୁଥିବାରୁ ଟିମର ସମସ୍ତ ଖେଳାଳି ଉତ୍ସାହିତ ଥିବା କହିଛନ୍ତି କ୍ୟାପଟେନ ପିଆର ଶ୍ରୀଜେଶ ।
"କୋରୋନା ଭାଇରସ ଯୋଗୁଁ, ଗୋଟିଏ ବର୍ଷରୁ ଅଧିକ ସମୟ ପରେ ପ୍ରତିଯୋଗୀତା ମୂଳକ ମ୍ୟାଚ ଖେଳିବାକୁ ଯାଉଛୁ । ଏହି ଆହ୍ବାନ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ।" ଏହା କହିଛନ୍ତି ଟିମର ଗୋଲକିପର ତଥା କ୍ୟାପଟେନ ଶ୍ରୀଜେଶ ।
ଭାରତୀୟ ହକି ଟିମ ଶେଷ ଥର ପାଇଁ ହୋମଗ୍ରାଉଣ୍ଡ ଭୁବନେଶ୍ବରରେ FIH ପ୍ରୋ-ଲିଗରେ ଗତ ବର୍ଷ ଜାନୁଆରୀ-ଫେବ୍ରୁଆରୀରେ ନେଦରଲାଣ୍ଡସ, ବେଲଜିୟମ ଓ ଅଷ୍ଟ୍ରେଲିଆ ସହ ଖେଳିଥିଲା ।
ଜୁଲାଇରେ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି ଭାରତୀୟ ଟିମ । ଫଳରେ ଏହି ସିରିଜ ଅଲମ୍ପିକ ପ୍ରସ୍ତୁତ ଦିଗରେ ସହାୟକ ହେବ ବୋଲି କହିଛନ୍ତି ଶ୍ରୀଜେଶ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ