ହାଇଦ୍ରାବାଦ: ହକିରେ ଭାରତର ବିଜୟଯାତ୍ରା ଜାରି ରହିଛି । ପୁରୁଷ ହକି ଦଳ ଫାଇନାଲ ଲଢେଇରେ ବିଜୟୀ ହୋଇଥିବା ବେଳେ ମହିଳା ଦଳ ମଧ୍ୟ ପଛରେ ନାହାଁନ୍ତି । ହିରୋସିମାରେ ଆରମ୍ଭ ହୋଇଥିବା FIH ମହିଳା ହକି ସିରିଜ ଫାଇନାଲରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ମହିଳା ହକି ଦଳ ।
ଉରୁଗୁଏକୁ 4-1ଗୋଲରେ ମାତ ଦେଇଛି ଭାରତ । ଦଳ ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ ରାନି । ମ୍ୟାଚର 10ମ ମିନିଟରେ ଗୋଲ କରି ଭାରତକୁ ଆଗୁଆ କରିଥିଲେ । ପରେ ଗୁରଜିତ 21ତମ ମିନିଟରେ ଦ୍ବିତୀୟ, 40ତମ ମିନିଟରେ ଜ୍ୟୋତି ଗୋଲ କରି ଭାରତକୁ 3-0ରେ ଆଗୁଆ କରିଥିଲେ । ତେବେ ଉରୁଗୁଏ ପକ୍ଷରୁ ମ୍ୟାଚର ଶେଷ ଭାଗରେ ତେରେସା 51ତମ ମିନିଟରେ ଏକମାତ୍ର ଗୋଲ ସ୍କୋର କରିଥିଲେ । ତେବେ ମ୍ୟାଚର ଶେଷ ହେବାକୁ 4ମିନିଟ ଥିବା ବେଳେ ଲାଲ୍ରେସିଆମି 56ତମ ମିନିଟରେ ଭାରତ ପାଇଁ ଆଉ ଏକ ଦମଦାର ଗୋଲ କରିଥିଲେ । ଫଳରେ ମ୍ୟାଚ ଶେଷ ହେବା ବେଳକୁ ଭାରତ 4-1ଗୋଲର ବିଜୟୀ ହୋଇଛି ।
ପ୍ରଥମ ଦିନରେ ମୋଟ 4ଟି ମ୍ୟାଚ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ଚାଇନା 7-0ରେ ମେକ୍ସିକୋକୁ ହରାଇଛି । ଦ୍ବିତୀୟ ମ୍ୟାଚରେ ଜାପାନ 2-1 ଗୋଲରେ ଋଷକୁ ହରାଇଛି । 3ୟ ମ୍ୟାଚରେ ପୋଲାଣ୍ଡ ଫିଜିକୁ 6-0 ଗୋଲରେ ହରାଇ ଏକ ତରଫା ବିଜୟ ହାସଲ କରିଛି ।