ଭୁବନେଶ୍ବର: ଚଳିତ FIH ପ୍ରୋ ହକି ଲିଗରେ 2ୟ ବିଜୟ ହାସଲ କରିଛି ଘରୋଇ ଭାରତ। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା 2ୟ ମ୍ୟାଚରେ ପୁଣିଥରେ ନେଦଲାଣ୍ଡକୁ ମାତ୍ ଦେଇଛି ଟିମ ଇଣ୍ଡିଆ। ମ୍ୟାଚରେ ପ୍ରଥମେ ବ୍ୟାକ୍ଫୁଟରେ ରହିଥିଲା ଘରୋଇ ଦଳ। ପରେ ମିଳିତ ଆଟାକ୍ରେ ସ୍କୋରକୁ ବରାବର କରିବା ସହ ସୁଟ ଆଉଟ୍ ରାଉଣ୍ଡରେ କମାଲ ଦେଖାଇ ମ୍ୟାଚ ଉପରେ କବଜା କରିଛି ଭାରତୀୟ ପୁରୁଷ ହକି ଦଳ।
ସନ୍ଡେ ସୁପର ଫାଇଟର ଏହି ମ୍ୟାଚର ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା 1-3ରେ ପଛୁଆ ରହିଥିଲା ଘରୋଇ ଦଳ । ମ୍ୟାଚର ପ୍ରଥମ କ୍ବାର୍ଟର ଗୋଲ ଶୂନ୍ୟ ରହିଥିବା ବେଳେ 2ୟ କ୍ବାର୍ଟରରେ ଗୋଲ ବର୍ଷା କରିଥିଲା ବିପକ୍ଷ ନେଦରଲାଣ୍ଡ। ମ୍ୟାଚର 24,26 ଓ 27 ମିନିଟରେ ଲଗାତାର ଆଟାକ କରି ଗୋଲ ଦେଇଥିଲା ବିଶ୍ବର ନମ୍ବର-3 ଦଳ। ଏହି ଗୋଲ ପରିଶୋଧ କରିବାକୁ ଯାଇ ପ୍ରଥମାର୍ଦ୍ଧ ଶୁଦ୍ଧା ଭାରତ ମାତ୍ର ଗୋଟିଏ ଗୋଲ ଦେଇପାରି ଥିଲା।
2ୟ କ୍ବାର୍ଟରର 51 ଓ 55 ମିନିଟରେ ମନଦୀପ ସିଂ ଓ ରୁପିନ୍ଦ୍ରପାଲ ସିଂ ଯଥାକ୍ରମେ ଗୋଲ ପରିଶୋଧ କରି ସ୍କୋରକୁ 3-3ରେ ବରାବର କରିଥିଲେ । ଏହା ପରେ ଆରମ୍ଭ ହୋଇଥିଲା ସୁଟ ଆଉଟ ରାଉଣ୍ଡ । ସୁଟ ଆଉଟ ରାଉଣ୍ଡରେ ଭାରତ 3ଟି ଗୋଲ ଦେଇଥିବା ବେଳେ ବିପକ୍ଷ ନେଦରଲାଣ୍ଡ ମାତ୍ର ଗୋଲ ଦେବାକୁ ସକ୍ଷମ ହୋଇଥିଲା । ତେବେ ଏହି ବିଜୟ ସହ 5 ପଏଣ୍ଟ ହାସଲ କରି ଟେବୁଲ ଟପ୍ପର ବନିଛି ଭାରତ। ଗତକାଲି ଖେଳାଯାଇଥିବା ପ୍ରଥମ ମ୍ୟାଚରେ 5-2 ଗୋଲରେ ସମାନ ବିରୋଧି ନେଦରଲାଣ୍ଡକୁ ମାତ୍ ଦେଇଥିଲା ଭାରତ ।