ଭୁବନେଶ୍ବର: ନଭେମ୍ବର ୧ରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଅଲମ୍ପିକ୍ସ ହକି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ। ଏଫଆଇଏଚ୍ ଅଲିମ୍ପିକ୍ କ୍ବାଲିଫାୟର୍ସରେ ନଭେମ୍ବର 1 ଓ 2 ତାରିଖରେ ଭାରତ-ରୁଷିଆ ମ୍ୟାଚ ଖେଳାଯିବ । ଏହାପୂର୍ବରୁ ଓଡିଶା କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର । ଦଳ ଘୋଷଣାରେ ଓଡିଆ ଖେଳାଳି ବିରେନ୍ଦ୍ର ଲାକ୍ରାଙ୍କୁ ସ୍ଥାନ ମିଳିନଥିଲା । ଏବେ ଭାରତୀୟ ଦଳର ଡିଫେଣ୍ଡର ବରୁଣ କୁମାର ଆହତ ଜନିତ ସମସ୍ୟାରୁ ଦଳରୁ ବାଦ ପଡିଛନ୍ତି । ଫଳରେ ତାଙ୍କ ସ୍ଥାନରେ ହକି ଇଣ୍ଡିଆ ଅଭିଜ୍ଞ ଡିଫେଣ୍ଡର ବିରେନ୍ଦ୍ର ଲାକ୍ରାଙ୍କୁ ଦଳରେ ସ୍ଥାନ ମିଳିଛି।
ସୋମବାର ଅଭ୍ୟାସ ସମୟରେ ବରୁଣ ଆହତ ହୋଇଥିଲେ। ତାଙ୍କ କାନ୍ଧ ଓ ଡାହାଣ-ବାଇସେପରେ ଆଘାତ ଲାଗିଥିଲା। ଆହତ ବରୁଣଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ କିଛି ସପ୍ତାହ ଲାଗିବ । ତାଙ୍କୁ ଏବେ ଆରାମ ଆବଶ୍ୟକ ବୋଲି ଦଳର ମୁଖ୍ୟ କୋଚ ଗ୍ରାହମ ରେଡ କହିଛନ୍ତି।
ଏଫଆଇଏଚ୍ ଅଲିମ୍ପିକ୍ କ୍ବାଲିଫାୟର୍ସ ପାଇଁ ଘୋଷିତ 18 ଜଣିଆ ପୁରୁଷ ଦଳରେ ପୂର୍ବରୁ ଜଣେ ମାତ୍ର ଓଡିଆ ଖେଳାଳି ଅମିତ ରୋହିଦାସ ସାମିଲ ଥିଲେ । ଏବେ ବୀରେନ୍ଦ୍ରା ଲାକ୍ରାଙ୍କୁ ଦଳରେ ସାମିଲ କରାଯାଇଛି। ନଭେମ୍ବର 1 ଓ 2 ତାରିଖରେ ଭାରତ ଋଷିଆ ବିପକ୍ଷରେ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ଖେଳିବ । ସେହିପରି ଭାରତୀୟ ମହିଳା ଦଳ ୟୁଏସ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ।